ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ପରିଷଦ ବୈଠକ ଚଳିତ ମାସ ୨୮ ଓ ୨୯ତାରିଖ ଦୁଇଦିନ ଧରି ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପକ୍ଷରୁ ଟିକସ ହାରରେ ସଂଗତି ଆଣିବା ଏବଂ ଜୁଆ, ରେସ କୋର୍ସ ତଥା ଅନ୍ଲାଇନ ଗେମିଂ ଉପରେ ଟିକସ ହାର ନିର୍ଦ୍ଧାରଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବାରୁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ଅର୍ଥମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ ୪୭ତମ ଜିଏସ୍ଟି ପରିଷଦ ବୈଠକ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି।