ଅଡୁଆରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଜଗନମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଜନହିତ ଯାଚିକା ଆବେଦନ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଇ ଜଣ ଓକିଲ ସୁପ୍ରିମକୋର୍ଟରେ ଏହି ଯାଚିକା ଆବେଦନ କରିଛନ୍ତି। ଯାଚିକାରେ କୁହାଯାଇଛି ଜଗମୋହନ ସୁପ୍ରିମ କୋର୍ଟ ବିଚାରପତି ଏନବି ରମନାଙ୍କ ବିରୋଧରେ କଥିତ ଟିପ୍ପଣୀ ଯୋଗୁ ତାଙ୍କୁ ପଦରୁ ହଟାଇବା ପାଇଁ ଅଦାଲତ ପକ୍ଷରୁ ନିର୍ଦେଶ ଦେବାକୁ ଦାବି କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଜଗନମୋହନ ଭାରତର ମୁଖ୍ୟ ନ୍ୟାୟଧୀଶ ଏସଏ ବୋବଡେଙ୍କୁ ଏକ ଚିଠି ଳେଖିଥିଲେ। ଚିଠିରେ ଜଗନମୋହନ ସୁପ୍ରିମ କୋର୍ଟର ବର୍ତମାନ ବିଚାରପତି ଓ ସମ୍ଭବତଃ ଆଗାମୀ ମୁଖ୍ୟ ବିଚାରପତି ଏନବି ରମନାଙ୍କ ଉପ​‌ରେ ଅଭିଯୋଗ ଆଣି ଥିଲେ କି ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି।

ସେ ଏହା ମଧ୍ୟ ଚିଠିରେ ଲେଖିଥିଲେ ଟିଡିପି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କର ଜଷ୍ଟିସ ରମନାଙ୍କ ସହ ଘନିଷ୍ଠତା ରହିଛି। ସେ ହାଇକୋର୍ଟ ବୈଠକକୁ ପ୍ରଭାବିତ କରୁଛନ୍ତି। ଏଥିରେ କିଛି ବିଚାରପତିଙ୍କ ରୋଷ୍ଟର ସାମିଲ ଅଛି। ଟିଡିପି ସହ ଜଡ଼ିତ ଗୁରୁତର ମାମଲା ଶୁଣାଣିର କାମ କିଛି ମୁଖ୍ୟ ନ୍ୟାୟଧୀଶଙ୍କୁ ଆବଣ୍ଟିତ କରାଯାଇଛି।