ମୋଦୀଙ୍କ ଗଡରେ କେଜ୍ରିୱାଲ ଲୋଭନୀୟ ପ୍ରତିଶ୍ରୁତି

ଯଦି ଏହି ପ୍ରତିଶ୍ରୁତିରେ ତ୍ରୁଟି ଥିବା ଅନୁଭବ କରିବେ, ତା’ହେଲେ ଆଗାମୀ ନିର୍ବାଚନରେ ଆପକୁ ଆଉ ଭୋଟ ଦେବେ ନାହିଁ…..

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆପ ଏବେ ଗୁଜରାଟ ଉପରେ ଆଖି ପକାଇଛି । ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟବାସୀଙ୍କୁ ମାଗଣା ବିଜୁଳିର ଲୋଭ ଦେଖାଇଛନ୍ତି ଆପ ଆବାହକ ଅରବିନ୍ଦ କେଜ୍ରିୱାଲ । ଯଦି ଆପ ରାଜ୍ୟରେ କ୍ଷମତା ଦଖଲ କରିବ, ତା’ହେଲେ ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ଏକ ବୈଠକରେ କେଜ୍ରିୱାଲ କହିଛନ୍ତି ଯେ, ସମସ୍ତଙ୍କୁ ବିନା ପାୱାର କଟରେ ବିଜୁଳି ଯୋଗାଇ ଦିଆଯିବାର ଗ୍ୟାରେଣ୍ଟୀ ମୁଁ ଦେଉଛି । ଯଦି ଏହି ପ୍ରତିଶ୍ରୁତିରେ ତ୍ରୁଟି ଥିବା ଅନୁଭବ କରିବେ, ତା’ହେଲେ ଆଗାମୀ ନିର୍ବାଚନରେ ଆପକୁ ଆଉ ଭୋଟ ଦେବେ ନାହିଁ ।

ଆମେ ସବୁ ପ୍ରକାରର ପ୍ରତିଶ୍ରୁତି ରାଜ୍ୟରେ କ୍ଷମତାକୁ ଆସିବା ପରେ ପୂରଣ କରିବୁ । ସେହିପରି ୨୦୨୧ ଡିସେମ୍ବର ୩୧ ସୁଦ୍ଧା ବାକି ରହିଥିବା ସମସ୍ତ ବିଜୁଳି ବିଲକୁ ଆପ କ୍ଷମତାକୁ ଆସିବା ପରେ ରଦ୍ଦ କରିବ । ଗୁଜରାଟ ଏଥର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବ । ଗୁଜରାଟବାସୀଙ୍କୁ ଆମ ଆଦମୀ ପାର୍ଟିର ପ୍ରଥମ ଗ୍ୟାରେଣ୍ଟୀ । ଦିଲ୍ଲୀ ଭଳି ଗୁଜରାଟରେ ମଧ୍ୟ ୨୪ ଘଣ୍ଟା ମାଗଣା ବିଜୁଳି ମିଳିବ ବୋଲି କେଜରିୱାଲ କହିଛନ୍ତି ।