କମ୍ ମ୍ୟାଚ ଖେଳିଥିବା ଖେଳାଳି କୋହଲିଙ୍କୁ ଟାର୍ଗେଟ କରୁଛନ୍ତି: ଆକମଲ
ଆଉ କେହି ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରିଥାନ୍ତି…..
ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟରୁ ଆଉ ବଡ ସ୍କୋର ବାହାରୁନି । ଏଥିପାଇଁ ତାଙ୍କୁ ଅନେକ ବରିଷ୍ଠ ଖେଳାଳି ସମାଲୋଚନା କରୁଛନ୍ତି । ତେବେ ବିରାଟଙ୍କ ପାଇଁ ବାହାରିଛନ୍ତି ପାକିସ୍ତାନୀ କ୍ରିକେଟର କମରାନ ଆକମଲ । ଆକମଲ କହିଛନ୍ତି ଯେ, ଗୋଟିଏ କିମ୍ବା ଦୁଇଟି ମ୍ୟାଚ ଖେଳିଥିବା ପ୍ଲେୟାର ବି କୋହଲିଙ୍କୁ ଟାର୍ଗେଟ କରୁଛନ୍ତି । ଏହା ଦେଖିବା ପରେ ହସ ଲାଗୁଛି । ସମସ୍ତେ ଏପରି ଖରାପ ଫର୍ମ ଦେଇ ଗତି କରିଥାନ୍ତି । କିଛି ଖେଳାଳିଙ୍କ ପାଇଁ ଏପରି କମ ସମୟ ରହିଥାଏ । ଆଉ କେହି ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରିଥାନ୍ତି । ତେବେ ବିରାଟଙ୍କୁ କେବଳ ଗୋଟିଏ ବଡ ପାଳିର ଆବଶ୍ୟକତା ରହିଛି ।
ପୂର୍ବତନ ପାକିସ୍ତାନୀ ଖେଳାଳି ଆହୁରି କହିଛନ୍ତି ଯେ, କୋହଲି ୭୦ ଶତକ ଲଗାଇଛନ୍ତି । ଏତେ ଶତକ ଲଗାଇବା ଖେଳାଳି କେବେ ଅନ୍ୟ କାହାର ସମାଲୋଚନା ଶୁଣିବା ଦରକାର ନାହିଁ । ଅତୀତରେ ଯାହା କିଛି ଭଲ ହୋଇଛି ତାହା ଭାବିବା ଦରକାର । ଅନେକ ପ୍ରତିକ୍ରିୟା ଆସିବ । କିନ୍ତୁ ଧ୍ୟାନ ଓ ଏକାଗ୍ରତା ବଜାତ ରଖିବା ଜରୁରୀ ବୋଲି କମରାନ୍ କହିଛନ୍ତି ।