କାରଗିଲ ବିଜୟ ଦିବସ: ୫୨୭ ଭାରତୀୟ ଯବାନଙ୍କ ବଳିଦାନକୁ ସଲାମ

KargilVijayDiwas

ଭୁବନେଶ୍ୱର: ୨୩ ବର୍ଷ ତଳେ କାରଗିଲ କ୍ଷେତ୍ରରେ ଭାରତୀୟ ସେନାବାହିନୀ ବିଶ୍ୱାସଘାତକ ପାକିସ୍ତାନ ସେନାକୁ ମୁହଁତୋଡ଼ ଜବାବ ଦେଇଥିଲା । ୧୯୯୯ ଯୁଦ୍ଧର ବିଜୟଗାଥାକୁ ସଦା ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖ ଦିନଟିକୁ କାରଗିଲ ବିଜୟ ଦିବସ ରୂପେ ପାଳନ କରାଯାଉଛି । ଯୁଦ୍ଧରେ ଭାରତର ୫୨୭ ଜଣ ବୀର ଯବାନ ସହିଦ ହୋଇଥିଲେ । ଏହିଦିନ ପ୍ରତି ଭାରତୀୟଙ୍କ ମନପ୍ରାଣରେ ବିଶ୍ୱାସଘାତକ ପାକିସ୍ତାନର ହୀନ ଚକ୍ରାନ୍ତ ମନେପଡ଼ିଯାଏ । ଅଶାନ୍ତି ଓ ଅସ୍ଥିର ଜଠରୁ ଜନ୍ମିତ ପାକିସ୍ତାନ ନିଜେ ଶାନ୍ତିରେ ରହିପାରୁନି କି କାହାକୁ ଶାନ୍ତିରେ ରହିବାକୁ ଦେଉନି ।

ଧୋକାବାଜ ପାକିସ୍ତାନ ଭାରତର ଦୁର୍ଗମ ପାହାଡ଼ିଆ ଇଲାକାରେ ଲୁଚିଛପି ଅନୁପ୍ରବେଶ କରିଥିଲା ଯାହାକୁ ପୁନରୁଦ୍ଧାର କରିବା ପାଇଁ ଭାରତକୁ ୬୦ ଦିନରୁ ଅଧିକ ସମୟ ଲାଗି ଯାଇଥିଲା । ‘ଅପରେସନ୍‌ ବିଜୟ’ ନାମରେ ଆରମ୍ଭ ହୋଇଥିବା ଯୁଦ୍ଧ ଅଭିଯାନଟି ଆଜି କାରଗିଲ ବିଜୟ ଦିବସ ଭାବେ ପରିଚିତ ।

ଏଇଠି ଆପଣଙ୍କୁ ଟିକେ ସିମ୍‌ଲା ବୁଝାମଣା ବିଷୟରେ ଜଣାଇଦେବା ଉଚିତ ମଣୁଛୁ । ଉଭୟ ଭାରତ ଓ ପାକିସ୍ତାନ ସିମ୍‌ଲା ବୁଝାମଣାକୁ ମାନିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ । ତଦନୁଯାୟୀ ଶୀତଦିନରେ ପ୍ରବଳ ବରଫପାତ କାରଣରୁ ଉଭୟ ଦେଶର ସେନାବାହିନୀ ବରଫାଚ୍ଛନ୍ନ ପାହାଡ଼ିଆ କ୍ଷେତ୍ରରୁ ସେନା ଅପସାରଣ କରି ଆସୁଥିଲେ । ବେଶ କିଛି ବର୍ଷ ଧରି ଉଭୟ ଦେଶ ସିମ୍‌ଲା ବୁଝାମଣାକୁ ମାନି ଆସୁଥିଲେ । ମାତ୍ର କ୍ରମେ ପାକିସ୍ତାନ ମୁଣ୍ଡରେ ଖଳବୁଦ୍ଧି ପଶିଥିଲା । ପାକିସ୍ତାନ ବରଫାଚ୍ଛନ୍ନ ପାହାଡ଼ିଆ କ୍ଷେତ୍ରରୁ ସେନା ଫେରାଇ ଆଣିବା ବଦଳରେ ଭାରତ ସୀମାରେ ଅନୁପ୍ରବେଶ କରି ଘାଟି ସ୍ଥାପନ କରିବାକୁ ଆଦେଶ ଦେଇଥିଲା । ଭାରତୀୟ ସେନା ଦୁର୍ଗମ ବରଫାଚ୍ଛନ୍ନ ପାହାଡ଼ର ଶୀର୍ଷରୁ ପାଦଦେଶକୁ ଫେରିଆସିଥିଲା ଯାହାର ସୁଯୋଗ ନେଇ ପାକିସ୍ତାନର ୫୦୦୦ ସେନା ଟାଇଗର ହିଲକୁ ଦଖଲ କରିଥିଲା । ପାକିସ୍ତାନର ହୀନ ଉଦ୍ଦେଶ୍ୟ ଜଣାପଡ଼ିବା ପରେ ଭାରତ କଡ଼ା ପଦକ୍ଷେପ ଗ୍ରହଣ କରିଥିଲା । ଲଦାଖକୁ ଜମ୍ମୁ-କଶ୍ମୀରଠାରୁ ବିଚ୍ଛିନ୍ନ କରିବା ପାକିସ୍ତାନର ହୀନ ଚକ୍ରାନ୍ତ ଥିଲା । ମାତ୍ର ତା’ର ସେହି ଉଦ୍ଦେଶ୍ୟକୁ ବିଫଳ କରିଦେଇଥିଲା ଭାରତ ।

ପାହାଡ଼ର ପାଦଦେଶରୁ ଶୀର୍ଷରେ ଥିବା ପାକିସ୍ତାନ ସେନାକୁ ମୁକାବିଲା କରିବା ସହଜ ନଥିଲା । ବିଶ୍ୱାସଘାତକ ପାକିସ୍ତାନକୁ ଠିକଣା ଜବାବ ଦେବା ପାଇଁ ଭାରତ ‘ଅପରେସନ୍‌ ବିଜୟ’ ଘୋଷଣା କରିଥିଲା । ଉକ୍ତ ଯୁଦ୍ଧରେ ଭାରତ ମିଗ୍‌-୨ଆଇ, ମିଗ୍‌-୨୩ଏସ୍‌, ମିଗ-୨୭, ଜାଗୁଆର୍‌ ଓ ମିରାଜ-୨୦୦୦ ଲଢୁଆ ବିମାନ ବ୍ୟବହାର କରିଥିଲା । ଅପରେସନ୍‌ ସଫେଦ୍‌ ସାଗର’ରେ ଭାରତୀୟ ବାୟୁସେନ ମିଗ୍‌-୨୧ ଓ ମିରାଜ-୨୦୦୦ ଲଢୁଆ ବିମାନ ବ୍ୟବହାର କରିଥିଲା । ଯୁଦ୍ଧରେ ବହୁ ପରିମାଣର ରକେଟ୍‌ ଓ ବୋମା ବ୍ୟବହାର କରାଯାଇଥିଲା । ରିପୋର୍ଟ ମୁତାବକ ପ୍ରାୟ ଦୁଇଲକ୍ଷ ୫୦ ହଜାର ବୋମା ଓ ରକେଟ୍‌ ବ୍ୟବହାର କରାଯାଇଥିଲା । ଟାଇଗର ହିଲକୁ କବଜା କରିବା ଦିନ ପ୍ରାୟ ୯୦୦୦ ଗୋଳାମାଡ଼ କରାଯାଇଥିଲା ।