ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୧୫୦ ଦିନରେ ପହଞ୍ଚିଛି । ତଥାପି ଯୁଦ୍ଧ କେବେ ସରିବ ତାହାର ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ମିଳିପାରିନାହିଁ । ରୁଷ ସେନା ପକ୍ଷରୁ କେନ୍ଦ୍ରୀୟ ୟୁକ୍ରେନର କିରୋଭୋରାଡସ୍କା ସହରସ୍ଥିତ ଏକ ବିମାନ ଘାଟି ଓ ରେଳ ଷ୍ଟେସନକୁ ଟାର୍ଗେଟ କରି ମିସାଇଲ ଆକ୍ରମଣ କରାଯାଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ମିସାଇଲ ଆକ୍ରମଣରେ ବିମାନ ଘାଟି ଓ ରେଳ ଷ୍ଟେସନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ଓଡେଶା ଉପକୂଳରେ ଥିବା ଏକ ବନ୍ଦର ଉପରେ ରୁଷ ପକ୍ଷରୁ ୪ଟି ମିସାଇଲ ମାଡ଼ କରାଯାଇଛି ।
କୃଷ୍ଣସାଗର ଉପକୂଳରେ ଥିବା ବନ୍ଦରକୁ ଖାଦ୍ୟଶସ୍ୟ ପରିବହନ ଲାଗି ଖୋଲିବାକୁ ରୁଷ-ୟୁକ୍ରେନ ମଧ୍ୟରେ ବୁଝାମଣା ହୋଇଥିଲ । କିନ୍ତୁ ବୁଝାମଣାର ଦିନକ ପରେ ରୁଷ ଏଭଳି ଆକ୍ରମଣ କରିଛି । ସେପଟେ ୟୁକ୍ରେନ ସୈନ୍ୟମାନେ ଦକ୍ଷିଣାଞ୍ଚଳ ଖେରସୋନରେ ରୁଷ ନିୟନ୍ତ୍ରଣରେ ଥିବା କିଛି ସହର ଉପରେ ରକେଟ ମାଡ଼ କରିଛନ୍ତି । ସେମାନେ ଡିନେପର ନଦୀ ପାର ହୋଇ ରୁଷର ଯୋଗାଣ ବ୍ୟବସ୍ଥା ଉପରେ ଆକ୍ରମଣ କରିଛନ୍ତି । ଗତ କିଛିଦିନ ହେଲା ସମଗ୍ର ଡୋନବାସ ଅଞ୍ଚଳକୁ କବଜା କରିବାକୁ ରୁଷୀ ସୈନ୍ୟ ଉଦ୍ୟମ ଜାରି ରଖିଛନ୍ତି । ସେମାନେ କିଛି ସହର ଦଖଲ କରିଥିଲେ ମଧ୍ୟ ସମଗ୍ର ଅଞ୍ଚଳ କବଜା କରିବାରେ ବିଫଳ ହୋଇଛନ୍ତି ।