ପୋଲାଭରମ : ଓଡ଼ିଶାର ଆଦିବାସୀଙ୍କୁ ଅଭିଶାପ, ଆନ୍ଧ୍ରବାସୀଙ୍କୁ ବରଦାନ

ଓଡ଼ିଶାର ନବୀନ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଘୋଷଣାକୁ ଦୃଢ ପ୍ରତିବାଦ କଲେ ନାହିଁ…

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର ଆଦିବାସୀଙ୍କୁ ବଳି ଦେଇ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମହାପାପ କରିଛନ୍ତି, ସେଥିରୁ ତ୍ରାହି ପାଇବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ବସାଇଛନ୍ତି ବୋଲି ଜାତୀୟ ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ ମହାସଂଘ I ମହାସଂଘର ରାଜ୍ୟ ସଭାପତି ସୀତାରାମ ବେହେରା କହିଛନ୍ତି, ଗରିବଙ୍କ ତ୍ରାଣକର୍ତ୍ତା ବୋଲାଉଥିବା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମଧ୍ୟସ୍ଥତା ବିନା ପୋଲାଭରମ ପ୍ରକଳ୍ପ ବିବାଦର ସମାଧାନ ସମ୍ଭବ ନୁହେଁ I

ସାକ୍‌ସୀ ନ୍ୟୁଜ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ୨୦୧୧ରେ ତତ୍କାଳୀନ ଉପା ସରକାର ଗୋଦାବରୀ ନଦୀ ଉପରେ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ଅନୁମତି ଦେଇ ନଥିଲେ I ୨୦୧୪ରେ ଏନଡିଏ ସରକାର ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିବା ଫଳରେ ଆନ୍ଧ୍ର ସରକାରଙ୍କ ସାହସ ବଢିଗଲା I ପୋଲାଭରମ ପ୍ରକଳ୍ପ କାରଣରୁ ଓଡିଶାର କ୍ଷୟକ୍ଷତି ବିଷୟରେ ମୋଦି ସରକାର ସାମାନ୍ୟ ଚିନ୍ତା କଲେ ନାହିଁ I
ଓଡ଼ିଶାର ନବୀନ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଘୋଷଣାକୁ ଦୃଢ ପ୍ରତିବାଦ କଲେ ନାହିଁ I ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ ସୁପାରିଶକୁ ସମ୍ପୂର୍ଣ୍ଣ ଅଣଦେଖା କରି ଆନ୍ଧ୍ର ପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରିଛନ୍ତି I ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ବହୁ ଅଂଚଳ ଜଳମଗ୍ନ ହେବ I ପ୍ରାକୃତିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ I

ମାମଲା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବାରୁ ଓଡ଼ିଶାର ନବୀନ ସରକାର ନୀରବତା ରକ୍ଷା କରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ଜଗନ ମୋହନ ସରକାର ପ୍ରକଳ୍ପ ନିର୍ମାଣ କାମ ସାରିବାକୁ ବସିଲାଣି I ସୁପ୍ରିମକୋର୍ଟକୁ ଯିବା ବଦଳରେ ନବୀନ ବାବୁ ଖୋଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମାମଲାରେ ମଧ୍ୟସ୍ଥତା କରିବାକୁ କହିଥିଲେ ବିବାଦର ସରଳ ସମାଧାନ ହୋଇ ସାରନ୍ତାଣି I କେନ୍ଦ୍ର ସରକାରଙ୍କ ତିନି ତଲାକ ବିଲ ସମେତ ବହୁ ବିବାଦୀୟ ବିଲକୁ ବିଜେଡି ସମର୍ଥନ କରିଥିଲା ବେଳେ ପୋଲାଭରମ ପ୍ରକଳ୍ପ କାମ ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇ ପାରିଥାନ୍ତେ I କିନ୍ତୁ ସେପରି କିଛି ନ କରି ନବୀନ ସରକାର ସୁପ୍ରିମ କୋର୍ଟକୁ ଗଲେ I
୨୦୧୯ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପୋଲାଭରମ ପ୍ରକଳ୍ପ ନିର୍ମାଣ କାମକୁ ଆହୁରି ଦୁଇ ବର୍ଷ ବଢ଼ାଇ ଆନ୍ଧ୍ର ସରକାରଙ୍କ ଓଡିଶା ବିରୋଧୀ କାମକୁ ଆଗେଇ ନେଇଥିଲେ ପ୍ରୋତ୍ସାହନ ଭରି ଦେଇଥିଲେ ନବୀନ ସରକାର କୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିଥିଲା ବେଳେ ଓଡ଼ିଶାର ବହୁ ସଂଗଠନ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ପୋଲାଭରମ ପ୍ରକଳ୍ପ ବିରୋଧ ଅଭିଯାନ ପକ୍ଷରୁ ରାଜ୍ୟପାଳଙ୍କ ବାସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏବେ ପୋଲାଭରମ ପ୍ରକଳ୍ପ ସରିବା ପ୍ରାୟ I ବର୍ତ୍ତମାନ ସାମାନ୍ୟ ବର୍ଷା ମୋଟୁ ସମେତ ମାଲକାନଗିରି ଓ ଅବିଭକ୍ତ କୋରାପୁଟ ଜିଲ୍ଳାର ବହୁ ଅଂଚଳକୁ ବୁଡାଇ ଦେଇଛି I ଆଗାମୀ ଦିନରେ ଗୋଦାବରୀ ନଦୀରେ ବନ୍ୟାପାଣି କାରଣରୁ ଓଡ଼ିଶାର ଆଦିବାସୀ ଭାଇଭଉଣୀଙ୍କ ଜୀବନ ଯାପନ କେତେ ଦୟନୀୟ ହେବ ତାହା ମୋଦି ସରକାର ଅନୁମାନ କରନ୍ତୁ I

ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମନରେ ବହୁ ଅନୁକମ୍ପା ଜାଗ୍ରତ ହୋଇଛି I ଖାସ ସେଇଥିପାଇଁ ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ମାଡାମ ପ୍ରେସିଡେଣ୍ଟ ବନାଇଛନ୍ତି I ଏବେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଦୁଃଖ ଦୁର୍ଦ୍ଦିନ ଭିତରେ କାଳାତିପାତ କରୁଥିବା ଆଦିବାସୀ ପରିବାରଙ୍କ ପ୍ରତି ଉଦାର ହୃଦୟରେ ବିଚାର କରିବାକୁ ଜାତୀୟ ପଛୁଆ ବର୍ଗ ସାମ୍ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁରୋଧ କରିଛି I
ପୋଲାଭରମ ପ୍ରକଳ୍ପ ବିରୋଧୀ ଅଭିଯାନକୁ ପୂର୍ଣ୍ଣ ସମର୍ଥନ କରିଛି ଜାତୀୟ ପଛୁଆ ବର୍ଗ ସାମ୍ମୁଖ୍ୟ I

ପୋଲାଭରମ ପ୍ରକଳ୍ପ ବିରୋଧୀ ଅଭିଯାନ ଆବାହକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି ଯେ ଓଡ଼ିଶାର ଆଦିବାସୀଙ୍କ ବୁକୁଫଟା ଚିତ୍କାର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି I ଦଳର ଜଣେ ଆଦିବାସୀ ମହିଳାଙ୍କୁ ମାଡାମ ପ୍ରେସିଡେଣ୍ଟ କରିଦେଲେ ଓଡ଼ିଶାର ସବୁ ଆଦିବାସୀ ପରିବାରଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ ନାହିଁ I
କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଜନତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଓଡ଼ିଶାର ଆଦିବାସୀ ଜନତାଙ୍କ ପ୍ରତି ଅବିଚାର କରିଛନ୍ତି I ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ଅଭିଭାଷଣ ଦେବା ଅବସରରେ ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ସେ ସବୁ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିବେ I ଏବେ ପୋଲାଭରମ ପ୍ରକଳ୍ପ କାରଣରୁ ହନ୍ତସନ୍ତ ହେଉଥିବା ଆଦିବାସୀ ଭାଇ ଭଉଣୀଙ୍କ ଦୁଃଖ ଲାଘବ କରନ୍ତୁ ନଚେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ରାଜନୈତିକ ପଶାପାଲିରେ ଗୋଟିଟିଏ ହୋଇ ରୁହନ୍ତୁ I