୧୮୬୬, ଅଗଷ୍ଟ ,୪ ତାରିଖ ! ଆଜିର ଦିନରେ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ସମ୍ବାଦପତ୍ର ” ଉତ୍କଳ ଦୀପିକା”
ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ଏହି ଖବରକାଗଜ, ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ ଓଡ଼ିଆ ସାମ୍ବାଦିକତା ଦିବସ
ଓଡ଼ିଆ ସାମ୍ୱାଦିକତା ଇତିହାସରେ ୧୭୨୦ ଖ୍ରୀଷ୍ଟାବ୍ଦ ମଧ୍ୟ ବେଶ ମହତ୍ଵ ରଖେ, ଏହି ସମୟରେ କଟକ ଜିଲ୍ଲା ଆଠଗଡ଼ର କୁମାରପୁର ଗାଁରେ ସୁନ୍ଦର ଦାସ ନାମକ ଜଣେ ସାଧୁ ଯେକି ପରେ ଜଣେ କୁଶଳୀ ଯୋଦ୍ଧା ଭାବେ ବେଶ୍ ଖ୍ୟାତି ଲାଭ କରିଥିଲେ, ପ୍ରଥମେ ସେ ତାଙ୍କ ସାଧୁ ଜୀବନରେ ଚୌଦ୍ୱାର ନିକଟରେ ଏକ ବରଗଛ ମୂଳେ ସେ ରହୁଥିଲେ ଓ ସେତେବେଳର ମରାଠୀ ଶାସକ ତାଙ୍କର ଶିଷ୍ୟ ଥିଲେ, ପରେ ମିଶନାରୀମାନଙ୍କ ଚକ୍ରାନ୍ତରେ ତାଙ୍କୁ ଫସିବା ପରେ ସେ ସ୍ବଳ୍ପ ସମୟ ପାଇଁ ଜେଲ ଦଣ୍ଡ ଭୋଗିଥିଲେ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ବରଗଛ ମୂଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମର ନାଁ ଥିଲା କୁଜିବର ଆଶ୍ରମ ଓ ସେଠାରୁ ସେ ଏକ ଖବରକାଗଜ ପ୍ରକାଶ କରୁଥିଲେ, ଯାହାର ନାଁ ଥିଲା “କୁଜିବର ପତ୍ରିକା’ ତାଳପତ୍ରରେ ବିଭିନ୍ନ ଖବର ଲେଖି ସେ ଏହାକୁ ପ୍ରକାଶ କରୁଥିଲେ ଏବଂ ତାଙ୍କର ଶିଷ୍ୟମାନେ ନକଲ କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସେହିପରି କୁଜିବର ପାଖରେ ପଦ୍ମପୁର ଗାଁରେ ହରିତାଳି ନାମକ ଆଉ ଏକ ଖବରକାଗଜ ଦେଶୀୟ ପଦ୍ଧତିରେ ତିଆରି ହେଉଥିଲା, ଏବଂ ଏହାକୁ କଟକର ବିଭିନ୍ନ ସ୍ଥାନ ସମେତ କେତୋଟି ସଂଖ୍ୟା ଲଣ୍ଡନ ମଧ୍ୟ ପଠାଯାଇଥିଲା
କଟକରୁ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ୱାଦ ବାହିକା ଓ ସମ୍ୱଲପୁରରୁ ହିତୈଶିଣୀ ସେତେବେଳେ ପ୍ରକାଶିତ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବେଳେ ଏହି ଖବରକାଗଜ ଗୁଡ଼ିକ ସକ୍ରିୟ ଅଂଶ ଗ୍ରହଣ କରି ଲୋକଙ୍କ ମଧ୍ୟରେ ବିପ୍ଲବର ବହ୍ନି ଜାଳିଥିଲେ
ଗୌରୀ ଶଙ୍କର ରାୟଙ୍କ ବିୟୋଗ ପରେ ନୀଳମଣି ବିଦ୍ୟାରତ୍ନ ଉତ୍କଳ ଦୀପିକାର ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ । ମାତ୍ର, ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେହି ବର୍ଷ ହିଁ ଉତ୍କଳ ଦୀପିକା ବନ୍ଦ ହୋଇ ପରେ ଦୈନିକ ସମ୍ୱାଦପତ୍ର ଭାବେ ପ୍ରକାଶିତ ହୋଇଥିଲା । ଏହା ପରେ ଆଶା ଓ ନିଅ ଓଡ଼ିଶା ନାମକ ଖବରକାଗଜ ପ୍ରକାଶ ପାଇଥିଲା । ଅବଶ୍ୟ ଏହା ପୂର୍ବରୁ ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସାପ୍ତାହିକ ଭାବେ ସମାଜକୁ ପ୍ରକାଶ କରିଥିଲେ । ୧୯୩୦ରୁ ଏହା ଦୈନିକ ଭାବେ ପ୍ରକାଶ ପାଇଥିଲା । ଏହାପରେ ପ୍ରଜାତନ୍ତ୍ର, କଳିଙ୍ଗ (ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ), ଇଣ୍ଟର୍ଣ୍ଣ ଟାଇମ୍ସ ନାମକ ଖବରକାଗଜ ପ୍ରକାଶ ପାଇଥିଲା
ଯାହା ସତ୍ୟ, ତାହାକୁ ନିର୍ଭୀକ ଭାବରେ ଲୋକଲୋଚନକୁ ଆଣିବା ହେଉଛି ସାମ୍ବାଦିକର ପ୍ରଥମ କର୍ତ୍ତବ୍ୟ, ଲୋକତନ୍ତ୍ର ବ୍ୟବସ୍ଥାର ସଶକ୍ତ ପ୍ରହରୀ ରୂପେ କାର୍ଯ୍ୟରତ ସମସ୍ତ ପତ୍ରକାର ତଥା ସାମ୍ବାଦିକ ବନ୍ଧୁମାନଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ, ଲୋକମାନଙ୍କୁ ସଠିକ୍ ଖବର ଦେବା ସହିତ ନିଜର ସ୍ଵାସ୍ଥ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଓ ସମାଜ ପାଇଁ କଲମ ଚାଳନା ଜାରି ରଖନ୍ତୁ, ଏତିକି କାମନା