ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ହେଉ କିମ୍ବା ପାଟ୍ରା ଚଲ ସ୍କାମରେ ଇଡ଼ି ଅଧିକ ସକ୍ରିୟ ହୋଇଛି । ଗୋଟିଏ ପଟେ ମହାରାଷ୍ଟ୍ରର ଶିବସେନାର ତୁଙ୍ଗନେତା ସଞ୍ଜୟ ରାୱତଙ୍କୁ ଗିରଫ କରାଯାଇଥିବାବେଳେ ଏବେ କଂଗ୍ରେସ ଦଳର ନ୍ୟାସନାଲ ହେରାଲ୍ଡ ମାମଲାରେ ମୁଣ୍ଡବ୍ୟଥାର କାରଣ ସାଜିଛି ଇଡ । ଅର୍ଥ ହେରଫେର ମାମଲାରେ ଇଡ଼ିକୁ ସ୍ୱତନ୍ତ୍ରତା ସୁପ୍ରିମକୋର୍ଟ ଦେବାପରେ ଇଡ଼ି ସଂପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇ କାର୍ଯ୍ୟ କରୁଥିବାର ପରିଲକ୍ଷିତ ହୋଇଛି । ପ୍ରିଭେନସନ ଅଫ ମନି ଲ୍ୟାଣ୍ଡ୍ରିଂ ଆକ୍ଟ ଅନ୍ତର୍ଗତ ଇଡ଼ି ଏକ ଶକ୍ତିଶାଳୀ ତଦନ୍ତକାରୀ ସଂସ୍ଥା ଭାବରେ ପରିଗଣିତ ।
ଭ୍ରଷ୍ଟାଚାର ମାମଲାରେ ଜେରା ଠାରୁ ଆରମ୍ଭ କରି ଗିରଫ କରିବା ପର୍ଯ୍ୟନ୍ତ ଇଡ଼ିକୁ ସଂପୂର୍ଣ୍ଣ ଅଧିକାର ମିଳିଛି । କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପରେ ଇଡ଼ି ଦେଶର ୧୬ଟି ଠିକଣା ଉପରେ ଚଢ଼ାଉ କରିଛି । ଅନ୍ୟପଟରେ ସଞ୍ଜୟ ରାୱତଙ୍କୁ ଗିରଫ କରିବା ଏକ ବଡ଼ ଧରଣର ପଦକ୍ଷେପ ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । ଏହା ପୂର୍ବରୁ ମୁମ୍ବାଇ ପୋଲିସ କମିଶନରଙ୍କ ସହ ମହାରାଷ୍ଟ୍ରର ଦୁଇଜଣ ମନ୍ତ୍ରୀଙ୍କୁ ଗିରଫ କରି ଇଡ଼ି ହାଜତ ମଧ୍ୟକୁ ପଠାଇଛି । ଅନ୍ୟପକ୍ଷରେ କୋଲକାତାର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ୫୦ କୋଟରୁ ଊଦ୍ଧ୍ୱର୍ ଟଙ୍କା ମିଳିବା ଘଟଣା ମଧ୍ୟ ଇଡ଼ିର କାର୍ଯ୍ୟଦକ୍ଷତାକୁ ପରିଭାଷିତ କରୁଛି ।