ରାସ୍ତା ନିର୍ମାଣବେଳେ ଭାଙ୍ଗିଲା ଉଠା ଜଳସେଚନ ପାଇପ, ବିଲ ପଡିଛି ଶୁଖିଲା, ଚିନ୍ତାରେ ଚାଷୀ
ରାସ୍ତା ନିର୍ମାଣବେଳେ ଆମ୍ବଗଡିଆ ଉଠାଜଳସେଚନ …
କେନ୍ଦୁଝର : ରାସ୍ତା ନିର୍ମାଣବେଳେ ଆମ୍ବଗଡିଆ ଉଠାଜଳସେଚନ ପ୍ରକଳ୍ପ ୨ର ପାଇପ ଭାଙ୍ଗି ଯାଇଥିବାରୁ ଏବେ ଜମିକୁ ପାଣି ଯାଇ ପାରୁନି । ଯାହା ଫଳରେ ୪୦ଏକରରୁ ଉର୍ଦ୍ଧ ଜମି ଶୁଖିଲା ପଡିଥିବାବେଳେ ଚାଷୀମାନେ ଚିନ୍ତାରେ ପଡି ଯାଇଛନ୍ତି । ଏପରି ଘଟଣାକୁ ନେଇ ଆଜି ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ତୁରନ୍ତ ମରାମତି ଦାବି କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାଇ ତରତରା ଛକ ଠାରୁ ବଞ୍ଚୋ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ନିର୍ମାଣ ବେଳେ ସେଠାରେ ଥିବା ଆମ୍ବଗଡିଆ ଦୁଇ ନମ୍ବର ଉଠାଜଳସେଚନ ପ୍ରକଳ୍ପର ପାଇପ ସବୁ ଭାଙ୍ଗ ରୁଜି ଯାଇଛି । ଏହି ଉଠା ଜଳସେଚନଟି ଦ୍ୱାରା ୪୦ରୁ ଉର୍ଦ୍ଧ ଚାଷୀ ନିର୍ଭର କରିଥାନ୍ତି ।
ଏହି ଅଞ୍ଚଳର ଜମିଗୁଡିକ ଢ଼ିପ ଜମି ହୋଇଥିବାରୁ ଏହି ଉଠାଜଳସେଚନ ପ୍ରକଳ୍ପ ହିଁ କେବଳ ଏକମାତ୍ର ସାହା ଭରଷା ପାଲଟିଥାଏ । କିନ୍ତୁ ପାଇପ ଭାଙ୍ଗିଯିବାରୁ ଚାଷୀମାନେ ପ୍ରକଳ୍ପଟିକୁ ବ୍ୟବହାର କରିପାରୁ ନାହାନ୍ତି । ଏବେ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀମାନେ ଧାନ ତଳି ପକାଇ ରୁଆପୋତା କରିଥିବାବେଳେ ଆଉ କିଛି ଚାଷୀ କାଦୁଅ କରିଦେଇଥିଲେ । ହଠାତ ବର୍ଷା ଛାଡି ଯିବାରୁ ଚାେ ଜମି ଗୁଡିକ ଶୁଖିଲା ପଡି ଜମିସବୁ ଫାଟି ଯାଇଥିବାବେଳେ ଆଉ କିଛି ବିଲ୍ରେ ତଳିସବୁ ପୋଡି ନଷ୍ଟ ହୋଇଗଲାଣି । ପାଣି ଟୋପେ ପାଇବାପାଇଁ ଠିକାଦାର ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରାୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି , ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ