ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବଡ ଦୁର୍ନୀତି

ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଆଉ ଚାଲି ହେଉ ନାହିଁ….

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତ ନିର୍ମାଣ କରାଯାଉଛି । ରାସ୍ତାର କାମ ଏତେ ନିମ୍ନମାନର ହେଉଛି ଯାହାକୁ ବିଭାଗୀୟ ଅଧିକାରୀ ଜାଣିଶୁଣି ଚପାଇ ଦେବାକୁ ଚାହୁଁଛନ୍ତି । ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ଚିତ୍ରକୋଣ୍ଡା ଏବଂ କାଲିମେଳା ବ୍ଲକ ଅନ୍ୟତମ । ଚିତ୍ରକୋଣ୍ଡା ଠାରୁ କାଲିମେଳା ବ୍ଲକକୁ ସଂଯୋଗ ରକୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଯେଉଁ ରାସ୍ତା ନିର୍ମାଣ କରାଯାଉଛି ତାହା ଅତି ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ।

ଚିତ୍ରକୋଣ୍ଡାର ସ୍ପିଲ୍‌ୱେ ଠାରୁ ଆକୁରକୋଟା, ଆକୁରକୋଟା ଠାରୁ ପାପଲୁର, ପାପଲୁର ଠାରୁ କୁରମାନୁର ଏବଂ କୁରମାନୁର ଠାରୁ କାଲିମେଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି । ଗତ ତିନିମାସ ତଳେ ଏହି ରାସ୍ତାର ଆକୁରକୋଟା ଠାରୁ ପାପଲୁର ଏବଂ କୁରମାନୁର ପର୍ଯ୍ୟନ୍ତ ଯେଉଁ ପିଚୁ ପକାଯାଇଥିଲା ତାହା ସମ୍ପୂର୍ଣ୍ଣ ରୂପେ ଉଠି ଯିବା ସହ ରାସ୍ତାରେ ଚାଲିବା କଷ୍ଟକର ହୋଇପଡିଛି । କମଳାପଦରର ଠାରେ ରହିଥିବା ବିରାଟ ବ୍ରିଜର କାମ ମଧ୍ୟ ସମାପ୍ତ ହେଉନଥିବାରୁ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ସେହିପରି ଆଲୁରକୋଟା ଠାରୁ ପାପଲୁର ରାସ୍ତା ମଧ୍ୟ ଅତି ଶୋଚନୀୟ । ତେବେ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାର ଅବସ୍ଥା ଏଭଳି କିପରି ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତ । ଅତି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ଗତ ତିନିମାସ ତଳେ ପଡିଥିବା ପିଚୁ ଏବେ ଉଠିବା ସହ ରାସ୍ତାରେ ଚାଲିବା କଷ୍ଟକର ହେଉଛ । ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଆଉ ଚାଲି ହେଉ ନାହିଁ । ଦୀର୍ଘଦିନର ଦାବି ପରେ ରାସ୍ତା ନିର୍ମାଣ ହେଲା କିନ୍ତୁ ଅତି ନିମ୍ନମାନର ରାସ୍ତା କରି ସରକାରଙ୍କର କୋଟି କୋଟି ଟଂକା ପାଣିରେ ପକାଯାଇଥିବା ଅଭିଯୋଗ ହୋଇଛ । ତେବେ ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିନଥିବାରୁ ତାଙ୍କ ପ୍ରତିକ୍ରିୟା ଦିଆଯାଇପାରି ନାହିଁ ।