ଗୁଜରାଟ: ସିରିଜ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ ଏସୟୁଭି । କାରଟି ଗୋଟିଏ ଅଟୋ ଓ ବାଇକ ଉପରେ ମାଡ଼ି ଯିବାରୁ ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଗୁଜରାଟର ଆନନ୍ଦରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଗ୍ରସ୍ତ ଏସୟୁଭିକୁ କଂଗ୍ରେସର ସୋଜିତ୍ର ବିଧାୟକ ପୁନାମଭାଇ ମାଧାଭାଇ ପାରମରଙ୍କ ଜ୍ୱାଇଁ ଖେତନ ପଢ଼ିହାରୀ ଚଳାଉଥିଲେ । ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି । ଆନନ୍ଦ ସହର ଓ ତାରପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ବେଳେ କାର ଚାଳକ ଜଣଙ୍କୁ ନିଶାଷକ୍ତ ଅବସ୍ଥାରେ ରହିଥିଲେ । ଆନନ୍ଦ ଜିଲ୍ଲାର ଏଏସ୍ପି ଅଭିଷେକ ଗୁପ୍ତା କହିଛନ୍ତି ଗୋଟିଏ କାର, ବାଇକ ଓ ଅଟୋ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ଅଟୋରେ ଥିବା ୪ ଜଣ ଓ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାର ଏବେ ତଦନ୍ତ ଚାଲିଛି ।