ଡରଉଛି ହୀରାକୁଦ; ତଳିଆ ବାସିନ୍ଦା ଛାନିଆ

ଡରନାହିଁ ଆମେ ଅଛୁ: ନବୀନବାବୁ

ଭୁବନେଶ୍ୱର: ମଙ୍ଗଳବାର ରାତିରେ ହୀରାକୁଦରୁ ଛଡ଼ାଯିବା ପାଣି ମୁଣ୍ଡଳୀ ନିକଟରେ ପହଂଚିବା ପରେ ମହାନଦୀ ଓ ତା’ର ଶାଖାନଦୀ ଆହୁରି ଫୁଲିବ । ବୁଧବାର ସନ୍ଧ୍ୟା ବେଳକୁ ବନ୍ୟା ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା କରାଯାଉଛି । ମଙ୍ଗଳବାର ଅପରାହ୍ଣ ସୁଦ୍ଧା ବନ୍ୟା ସ୍ଥିତି ଦେଖି ତଳିଆ ଅଂଚଳର ଲୋକମାନେ ଚିନ୍ତାରେ ପଡ଼ିଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମନରେ ସାହସ ଭରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବନ୍ୟା ଓଡ଼ିଶାବାସୀଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ କାହିଁ କେତେ କରାଳ ବନ୍ୟାକୁ ରାଜ୍ୟବାସୀ ସାହସର ସହ ମୁକାବିଲା କରିଛନ୍ତି । ବିପଦକୁ ସାହସର ସହ ମୁକାବିଲା କରିବାର କଳା ଓଡ଼ିଶାବାସୀଙ୍କୁ ଜଣା । ପ୍ରତିକୂଳ ପରିସ୍ଥିତିରେ ପଛଘୁଂଚା ଦେବା ଆମ ଜନତା ଜାଣନ୍ତିନି । ସେମାନଙ୍କୁ କେନ୍ଦ୍ରର ସହାୟତାରୁ କାଣିଚାଏ ଦରକାର ନାହିଁ । ଆମ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ ଅନ୍ୟ ରାଜ୍ୟଠାରୁ ବେଶ ଦକ୍ଷ ଓ ଅଭିଜ୍ଞ । ଡରନାହିଁ ଆମେ ଅଛୁ । ଆପଣମାନଙ୍କ ଜୀବନ ବଂଚାଇବା ଆମର ପ୍ରଧାନ କାମ ।

ଛାର ହୀରାକୁଦ ଆମକୁ କଦାପି ଡରାଇ ପାରିବନି । ଏବେ ହୀରାକୁଦ ଜଳଭଣ୍ଡାରରେ ୬୨୬ ଫୁଟ ପାଣି ରହିଛି । ଛତିଶଗଡ଼ରୁ ପାଣି ଆସିବା ବନ୍ଦ ହୋଇନି; ଓଡ଼ିଶା ଉପକୂଳରେ ସାନି ଲଘୁଚାପ କାରଣରୁ ୧୯ ତାରିଖରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ପରିସ୍ଥିତି ପ୍ରତି ସରକାର ସଜାଗ ଅଛନ୍ତି, ବିପନ୍ନଙ୍କ ନିକଟରେ ସରକାରୀ ଖାଦ୍ୟ, ପୋଷାକପତ୍ର ଓ ଔଷଧପତ୍ର ଠିକ୍‌ ସମୟରେ ପହଂଚାଇ ଦିଆଯିବ ।
କେବଳ ମହାନଦୀ ଓ ତା’ର ଶାଖାନଦୀ ନୁହନ୍ତି, ବ୍ରାହ୍ମଣୀ, ବୈତରଣୀ, ଜଳକା, ଋଷିକୁଲ୍ୟା, ବୁଢ଼ାବଳଙ୍ଗ, ଇନ୍ଦ୍ରାବତୀ ଭଳି ନଦୀଗୁଡ଼ିକରେ ପାଣିସ୍ତର ବଢ଼ିବାକୁ ଲାଗିଛି । ଇତିମଧ୍ୟରେ ରାଜ୍ୟର ଜଳସଂପଦ ବିଭାଗ କହିଛି ଯେ ହୀରାକୁଦ ଜଳଭଣ୍ଡାର ସ୍ଥିତି ପାଇଁ ଅଯଥା ଛତିଶଗଡ଼କୁ ଦୋଷ ଦେବା ଉଚିତ ନୁହେଁ ।