‘ମୋ ମାମଲାକୁ କୌଣସି ଜାତି ବା ଦଳ ସହ ଯୋଡ଼ନ୍ତୁ ନାହିଁ’

ସବୁ ତ୍ୟାଗୀ ଖରାପ ନୁହନ୍ତି ନା ସବୁ ଅଗ୍ରୱାଲ ଭଲ: ପୀଡ଼ିତା

ନୋଏଡ଼ା: ନୋଏଡ଼ାର ଓମେକ୍ସ ସୋସାଇଟିରେ ମହିଳାଙ୍କ ପ୍ରତି ଅସଦାଚରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗୀଙ୍କ ସପକ୍ଷରେ ତ୍ୟାଗୀ ସଂଗଠନ ଏକଜୁଟ ହେବାର ଦେଖି ପୀଡ଼ିତା ପାଲଟା ଜବାବ ଦେଇ କହିଛନ୍ତି, ସବୁ ତ୍ୟାଗୀ ଖରାପ ଲୋକ ନୁହନ୍ତି କି ସବୁ ଅଗ୍ରୱାଲ ଭଲ ନୁହନ୍ତି ।
ପୀଡ଼ିତା ଏନା ଅଗ୍ରୱାଲ କହିଛନ୍ତି, ଆପଣ ଜଣକୁ ହତ୍ୟା କରିବା ପରେ ‘ସରି’ କହିଦେଲେ ଚଳିବନି । ଆପଣ ଭୁଲ କଲେ, ଦଣ୍ଡ ପାଇଲେ । ଆପଣ କହିଥିଲେ, ମୁଁ ଯାହା କଲେ ବି ତମ ପିଠିରେ କେହି ପଡ଼ିବେନି । ମାତ୍ର ଭିଡିଓ ପ୍ରସାରଣ ପରେ ସାରା ସୋସାଇଟି ଓ ପୁରା ଦୁନିଆ ମୋ ସପକ୍ଷରେ ଠିଆ ହେଲା ।’ ଏନା ପୁଣି କହିଛନ୍ତି, ‘ଆପଣ ଏ ମାମଲାରେ ଜାତି ବା ଧର୍ମକୁ ଯୋଡ଼ନ୍ତୁ ନାହିଁ । ସବୁ ତ୍ୟାଗୀ ଖରାପ ନୁହନ୍ତି କି ସବୁ ଅଗ୍ରୱାଲ ଭାରି ଭଦ୍ରଲୋକ ନୁହନ୍ତି । ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁରା ଭରସା ଅଛି । ଦୁହେଁ ଦେଶ ପାଇଁ ବହୁତ ଭଲ କାମ କରୁଛନ୍ତି । ପ୍ରତ୍ୟେକ ତ୍ୟାଗୀ ଖରାପ ନୁହନ୍ତି । ମୋର ଅନେକ ବନ୍ଧୁ ବାନ୍ଧବୀ ତ୍ୟାଗୀ ଅଛନ୍ତି । ମାମଲା ତ୍ୟାଗୀ ଓ ଅଗ୍ରୱାଲ ମଧ୍ୟରେ ନାହିଁ । ଏଠି ଜଣେ ତ୍ୟାଗୀ ଖରାପ, ସମସ୍ତଙ୍କ କଥା କହୁନି । ଏ ମାମଲାରେ ବିଜେପିକୁ ଟାଣିବା ଅନୁଚିତ । ଦୟାକରି କୌଣସି ଜାତି ଅବା ଦଳକୁ ଯୋଡ଼ନ୍ତୁ ନାହିଁ ।’