ଭୁବନେଶ୍ୱର: ଆଜି ଗଠିତ ହୋଇଛି ବିଜେପି ସଂସଦୀୟ ବୋର୍ଡ ଓ ନିର୍ବାଚନ ପ୍ରଚାର କମିଟି । ଉଭୟ ଗୋଠର ପରିଚାଳନା ଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ । ନିର୍ବାଚନର ମଙ୍ଗ ସମ୍ଭାଳୁଥିବା ଗୋଠରେ ଓଡ଼ିଶାର କୌଣସି ନେତା ସ୍ଥାନ ପାଇନାହାନ୍ତି । ରାଷ୍ଟ୍ରପତି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନଘନ ଦିଲ୍ଲୀ ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନକୁ ଏକବାରେ ଶାନ୍ତ କରିଦେଇଛି । ତେଣୁ ଓଡ଼ିଶାରେ ବିଜେପିକୁ ଜିତାଇବା କଥା ପ୍ରତି ମୋଦୀ ସେତେଟା ଗୁରୁତ୍ୱ ଦେଇନାହାନ୍ତି । ସଂକ୍ଷେପରେ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ନେତୃତ୍ୱ ନେଉଥିବା ପର୍ଯ୍ୟନ୍ତ ମୋଦୀ ଓଡ଼ିଶାକୁ ବକ୍ରଦୃଷ୍ଟିରେ ଚାହିଁବେ ସିନା; ନବୀନଙ୍କ ଚଉକିରେ ହାତ ମାରିବେନି । ଏପରିକି ରାଜ୍ୟ ବିଜେପିର କୋଉ ନେତା ନବୀନଙ୍କ ଚଉକିରେ ହାତ ମାରିବ ତ ମୋଦୀଙ୍କଠାରୁ ଶକ୍ତ ଚାପୁଡ଼ାଟେ ଖାଇବ ।
ସବୁଠାରୁ କୌତୁହଳ ବିଷୟ ହେଉଛି, ୨୦୧୯ରେ ଅମିତ ଶାହ ଓଡ଼ିଶାକୁ ଆସି ୧୨୦+ କଥା କହି ରାଜ୍ୟ ବିଜେପି ନେତାଙ୍କ ମନରେ ଉଚ୍ଚାଟ ସୃଷ୍ଟି କରିଥିଲେ । ହେଲେ ଏଥର ଅମିତ ଆସିଲେ, ବିଜେପି ନେତାଙ୍କ ସହିତ କବାଟକିଳା ଆଲୋଚନା କରି ପଳାଇଲେ । ଯାହା ଜଣାପଡୁଛି, ନବୀନଙ୍କ ମୋଦକରେ କେନ୍ଦ୍ରର କପିଳା-କାଶିଆ ନିଶାଗ୍ରସ୍ତ ।
ସୂଚନା ମୁତାବକ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ସଂସଦୀୟ ବୋର୍ଡ ଗଠିତ ହୋଇଛି । ସଂସଦୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ସର୍ବାନନ୍ଦ ସୋନୋୱାଲ, ବିଏସ୍ ୟେଦିୟୁରାପ୍ପା, କେ ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିୟା ଓ ପାର୍ଟି ସଚିବ ବିଏଲ୍ ସନ୍ତୋଷ ଅଛନ୍ତି ।
ସେହିପରି ୧୫ ଜଣିଆ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ବିଏସ୍ ୟେଦିୟୁରାପ୍ପା, କେ ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିୟା, ଭୁପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାଭିସ୍, ଓମ ମାଥୁର, ବିଏଲ୍ ସନ୍ତୋଷ ଓ ବନଥୀ ଶ୍ରୀନିବାସଙ୍କୁ ସାମିଲ କରାଯାଇଛି ।