ପରିବାରର ୬ ଜଣଙ୍କୁ ମାରି ଦୁଇଟି ଘରେ ଲୁଚାଇଦେଲେ

ଜମ୍ମୁ ଉପକଣ୍ଠ ସିଧ୍ରା ଅଂଚଳରେ ଦୁଇଟି ଘରୁ ଗୋଟିଏ ପରିବାରର….

ଜମ୍ମୁୂ: ଜମ୍ମୁ ଉପକଣ୍ଠ ସିଧ୍ରା ଅଂଚଳରେ ଦୁଇଟି ଘରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ପୃଥକ ପୃଥକ ମିଳିବା ପରେ ଘଟଣାର ତଦନ୍ତ ପାଇଁ ଜମ୍ମୁ ପୁଲିସ ଏସ୍‌ଆଇଟି ଗଠନ କରିଛି । ପୁଲିସ ମୁଖପାତ୍ରଙ୍କ ସୂଚନା ମୁତାବକ ଅଗଷ୍ଟ ୧୬ ତାରିଖ ରାତି ପ୍ରାୟ ୧୦ଟାରେ ଜଣେ ମହିଳାଙ୍କଠାରୁ ଟେଲିଫୋନ୍‌ କଲ ଆସିଲା । ମହିଳା ଜଣକ କହିଲେ ଯେ ସେ ତାଙ୍କ ଭାଇଙ୍କ ଫୋନ୍‌କୁ ବାରମ୍ବାର କଲ୍‌ କରୁଥିଲେ ମଧ୍ୟ ସେପଟୁ କେହି କଲ୍‌ ରିସିଭ୍‌ କରୁନାହାନ୍ତି । ତାଙ୍କ ଭାଇ ଆତ୍ମହତ୍ୟା କରିଥିବା ମହିଳା ଜଣକ ଆଶଙ୍କା ପ୍ରକଟ କରିଥିଲେ ।

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିଧ୍ରା ପୁଲିସ ଓ ନାଗ୍ରୋଟା ପୁଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଂଚିଥିଲେ । ଘର ଭିତର ପଟୁ ବନ୍ଦ ଥିବା ଦେଖି ପୁଲିସ କବାଟ ଫାଙ୍କରେ କିଛି ଦେଖିବାକୁ ପ୍ରୟାସ କରିଥିଲା । ମାତ୍ର ଘରୁ କିଛି ଅସ୍ୱାଭାବିକ ଗନ୍ଧ ବାରି ପୁଲିସ କବାଟକୁ ଭାଙ୍ଗିବା ପାଇଁ ବାଧ୍ୟ ହୋଇଥିଲା ।
ଘର ଭିତରେ ଚାରିଟି ଗଳିତ ଶବ ପଡ଼ିଥିଲା । ସଙ୍ଗେସଙ୍ଗେ ଫରେନ୍‌ସିକ୍‌ ଟିମ୍‌କୁ ଡକାଗଲା । ସ୍ଥାନୀୟ ଲୋକମାନେ ଗଳିତ ଶବକୁ ଚିହ୍ନଟ କଲେ । ମୃତକଙ୍କ ଭିତରୁ ଜଣକୁ ଚିହ୍ନି ଜନୈକ ବ୍ୟକ୍ତି କହିଥିଲା ଯେ ସଂପୃକ୍ତ ମୃତବ୍ୟକ୍ତିଙ୍କ ଘର କିଛିଦିନ ଧରି ବନ୍ଦ ରହିଛି । ପୁଲିସ ତତ୍‌କ୍ଷଣାତ୍‌ ମୃତବ୍ୟକ୍ତିଙ୍କ ଘରେ ପହଂଚି କବାଟ ଖୋଲିବାରୁ ଆଉ ଦୁଇଜଣଙ୍କ ମୃତଦେହ ଠାବ କରିଥିଲା ।
ମୃତକମାନେ ଗୋଟିଏ ପରିବାରର ହୋଇଥିବାରୁ କିଏ, କୋଉ କାରଣରୁ ଏଭଳି ହତ୍ୟା କରିଛି, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ନାନା ସନ୍ଦେହ ପ୍ରକାଶ ପାଇଛି । ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।