ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ହେବା କାରଣରୁ ମହାନଦୀ ଓ ତା’ର ଶାଖାନଦୀଗୁଡ଼ିକରେ ନାହିଁ ନଥିବା ବନ୍ୟା ଆସିଛି । ବର୍ଷସାରା ନଦୀବନ୍ଧର ସୁଦୃଢ଼ ପାଇଁ ବ୍ୟବସ୍ଥା ପ୍ରତି ସାମାନ୍ୟ ଦୃଷ୍ଟି ଦେଇ ନଥିବା ମୁଖ୍ୟମନ୍ତ୍ରୀ ଓ ଜଳସଂପଦର ଉଚ୍ଚପଦସ୍ଥ ଅଧିକାରୀମାନେ ଏବେ ବିପନ୍ନଙ୍କ ଦୁଃଖରେ ଲୋକ ଦେଖାଣିଆ କାନ୍ଦୁଛନ୍ତି । ବନ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରତିଟି ଜୀବନକୁ ମୂଲ୍ୟବାନ କହି ଦରଦୀପଣିଆ ଦେଖାଇଲେ କ’ଣ ହେବ? ଜଳବନ୍ଦୀରେ ବିପନ୍ନଙ୍କ ଦୁର୍ଦ୍ଦଶାକୁ ଦେଖି ବିଜେଡି ନେତାଏ ମନେମନେ କହୁଛନ୍ତି, ‘କାଳିଆ ଟଙ୍କା ନେଲା ବେଳକୁ ଭାରି ହସୁଥିଲ, ଏବେ କାନ୍ଦିଲେ କେହି ପିଠିରେ ପଡ଼ିବେନି ।’ ଲୋକଙ୍କ ମୁହଁରେ ଆହା ଚୁଚୁ କହୁଛନ୍ତି; ହେଲେ ମନଟା କୁରୁଳି ଉଠୁଥିବ । କାହିଁକି ନା’, ବନ୍ୟା ପରେପରେ ବିପନ୍ନଙ୍କ ଘର ମରାମତି, ଶସ୍ୟ ନଷ୍ଟ ପାଇଁ, ଜୀବନହାନି ପାଇଁ ସରକାରୀ ପାଣ୍ଠିରୁ କୋଟିକୋଟି ଟଙ୍କା ଚଳୁ କରାଯିବ ।
ସେହି ଟଙ୍କା ହିତାଧିକାରୀଙ୍କ ପକେଟକୁ ଓଜନ କରିବା ବଦଳରେ ଦଲାଲଙ୍କ ହାତକୁ ବେଶି ଚିକ୍କଣ କରିବ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଜଳଭଣ୍ଡାର କରିବା ପ୍ରତିବାଦରେ ବିଜେଡି ରାସ୍ତାକୁ ଓହ୍ଲାଇ ତୁମ୍ବିତୋଫାନ କରିଥିଲା । ରାସ୍ତାକଡ଼ରେ ଲଗାଇଥିଲା ବିଶାଳ ହୋର୍ଡିଂ, ‘ମହାନଦୀର ବଳ, ବିଜୁ ଜନତା ଦଳ’ । ସମୟ ପୂର୍ବରୁ ମହାନଦୀ ବନ୍ୟାପାଣିକୁ ଅଟକାଇବା ପାଇଁ ବିଜେଡି ଦୁର୍ବଳ ନଦୀବନ୍ଧକୁ ମରାମତି ପାଇଁ ରାସ୍ତାକୁ ଓହ୍ଲାଇଲାନି । ନଦୀବନ୍ଧ ସମସ୍ୟାକୁ ଜଳ ସଂପଦ ବିଭାଗର ଉଚ୍ଚ ଅଧିକାରୀଙ୍କ ମର୍ଜି ଉପରେ ଛାଡ଼ିଦେଲା । ଏବେ କୋଉଠି ନଦୀବନ୍ଧରେ ଘାଇ ହେଲାଣି ତ କୋଉଠି ବନ୍ଧ ଟପି ପାଣି ଗାଁରେ ପଶିଲାଣି ।
କୋଉଠି କୁମ୍ଭୀର ଲୋକଙ୍କୁ ଡରାଇଲାଣି ତ କୋଉଠି ପାଣି ଲୋକଙ୍କ ଓଳିତଳେ ଲାଗିଲାଣି । ଲୋକଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ତୟାର କରାଯାଇଛି । ମାତ୍ର ଅଢେ଼ଇ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ସାଧ୍ୟାତୀତ ମନେହୁଏ ।