ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି। ଭାଦ୍ରବକୃଷ୍ଣ ପକ୍ଷ ଅଷ୍ଟମୀରେ ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ କୃଷ୍ଣ ମଥୁରାରେ ଜନ୍ମ ନେଇଥିଲେ। ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ। ଏହିଦିନ ଲୋକେ ଉପବାସ ରଖନ୍ତି ଓ ରାତି ୧୨ଟାରେ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗନ୍ତି। ଜନ୍ମାଷ୍ଟମୀ ଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ ହୁଏ। ଉତ୍ତର ପ୍ରଦେଶ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଆଡ଼ମ୍ବର, ଉଲ୍ଲାସରେ ପାଳିତ ହୋଇଥାଏ। କୃଷ୍ଣଙ୍କର କ୍ରୀଡ଼ାଭୂମି ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୁଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ଚାଲେ। ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁ ଜାକଜମକରେ ପାଳିତ ହୁଏ। ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଅବସରରେ ଦହି ହାଣ୍ଡି ଭଙ୍ଗାଯାଏ।