ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହେଲାଣି । ଧାରା-୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ । ଚଳିତ ନଭେମ୍ବର-ଡିସେମ୍ବରରେ ନିର୍ବାଚନ ହେବାର ସମ୍ଭାବନା ଅଛି । ନିର୍ବାଚନ ପୂର୍ବରୁ ମାହୋଲରେ ଉଷ୍ଣତା ଭରିଛି । ବିଶେଷ କରି ଅଣ-କଶ୍ମୀରୀଙ୍କୁ ଭୋଟଦାନ ଅଧିକାର ମିଳିଥିବାରୁ ସେଠାକାର ବହୁ ସଂଗଠନ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି ।
ଧାରା-୩୭୦ ଉଚ୍ଛେଦ ପରଠାରୁ ଜମ୍ମୁ-କଶ୍ମୀରରେ ଭୋଟରଙ୍କ ସଂଖ୍ୟା ୨୦ରୁ ୨୫ ଲକ୍ଷ ବୃଦ୍ଧି ପାଇଛି । ନୂଆ ଭୋଟରଙ୍କ ଭିତରେ ଅଧିକାଂଶ ସୁରକ୍ଷାକର୍ମୀ ଅଛନ୍ତି । କୁହାଯାଉଛି, ବିଜେପି ଫାଇଦା ଉଠାଇବାର ଯୋଜନା କରି ଏଭଳି କାମ କରିଛି । ନ୍ୟାସନାଲ କନ୍ଫରେନ୍ସ ନେତା ଉମର ଅବଦୁଲ୍ଲା ସିଧାସଳଖ ବିଜେପିକୁ ନିଶାନା କରି କହିଛନ୍ତି, ବିଜେପି ଜିତିବା ପାଇଁ ଭୋଟରଙ୍କୁ ଆମଦାନୀ କରୁଛି ।
ରିପୋର୍ଟ ଅନୁଯାୟୀ ଜମ୍ମୁ-କଶ୍ମୀରରେ ୩୦ ଭାଗ ନୂଆ ଭୋଟର । ସୁରକ୍ଷାକର୍ମୀଙ୍କ ସମେତ ୟୁପି ଓ ବିହାରରୁ ବହୁ ଲୋକ ସେଠାରେ କାମ କରୁଛନ୍ତି । ଜମ୍ମୁ-କଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ଧାରା-୩୭୦ ହଟିଯିବା ପରେ ଅଣ-କଶ୍ମୀର ଭୋଟରଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ।