ଯୋଗୀ ଯନ୍ତାରେ ଛଟପଟ ବାହୁବଳୀ ରାଜନ୍‌

ହତ୍ୟା ସମେତ ୪୦ଟି ମାମଲାର ମାଷ୍ଟର ମାଇଣ୍ଡ୍‌

ପାଟନା: ବାହୁବଳୀ ରାଜନ ତିୱାରୀକୁ ବିହାର-ନେପାଳ ସୀମାନ୍ତ ଇଲାକା ରକ୍‌ସୋଲରୁ ଗିରଫ କରାଯିବା ପରେ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି । ଜେଲକୁ ଯିବାପରେ ରାଜନ ଅସୁସ୍ଥ ଦର୍ଶାଇ ଡାକ୍ତରଖାନାରେ ଚିକିତ୍ସାଧୀନ ପାଇଁ ଜିଦ କରିଥିଲା । ମାତ୍ର ଜେଲ ପ୍ରଶାସନ ତାକୁ ସେଲକୁ ପଠାଇ ଦେଇଛନ୍ତି । କୁହାଯାଉଛି, ୟୁପିର ଟପ୍‌ ୬୦ ମାଫିଆଙ୍କ ଭିତରେ ରାଜନ ଥିବାରୁ ତା’ର ଗିରଫଦାରି ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପାୟ ପାଂଚିଥିଲା । ଦ୍ୱିତୀୟ ପାଳି କ୍ଷମତାକୁ ଯିବାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇଶାରାରେ ଗୋରଖପୁର ଜୋନ୍‌ ଏଡିଜି ଅଖିଲ କୁମାର ରାଜନର ଅପରାଧିକ ଚିଠା ତିଆରି କରିଥିଲେ । ପ୍ରାୟ ଆଠଟି ହତ୍ୟା, ଅପହରଣ, ଦାଦାବଟି ଆଦାୟ ସମେତ ୪୦ରୁ ଅଧିକ ମାମଲାରେ ରାଜନ ଅଭିଯୁକ୍ତ । ୨୦୦୫ରୁ ଗୋଟିଏ ମାମଲାରେ ସେ ୱାରେଂଟି ଥିଲା; ସେହି ୱାରେଂଟକୁ ଆକ୍ଟିଭ କରାଯିବା ପରେ ରାଜନକୁ ଗିରଫ କରାଯାଇଛି । ଏବେ ତା’ର ସମ୍ପତି ଆକଳନ ଚାଲିଛି ।
ୱାରେଂଟି ହେବାପରେ ରାଜନ ବିଜେପିରୁ ରାଜନୀତି କରିବାକୁ ଚାହୁଁଥିଲା । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ପାଇଁ ଲକ୍ଷେ୍ନø ଯାଇଥିଲା ।

ରାଜନ ସପକ୍ଷରେ ବିହାର ବିଜେପିର ଜଣେ ପୂର୍ବତନ ମନ୍ତ୍ରୀ ଦଳପତିଙ୍କ ନିକଟରେ ନାଲିସ କରିଥିଲେ । ଯେନତେନ ପ୍ରକାରେଣ ରାଜନ ବିଜେପିରେ ମିଶିଗଲା ସିନା; କିନ୍ତୁ ଦିନ କେଇଟା ପରେ ବିଜେପିର ଦୁଇଜଣ ତୁଙ୍ଗନେତାଙ୍କ ବଳିଷ୍ଠ ଯୁକ୍ତିକୁ ଆଧାର କରି ତାକୁ ଦଳରୁ ବାହାର କରି ଦିଆଗଲା ।

ଟିକେ ପଛକୁ ଯିବା, ରାଜନ ତା’ର ଦୁଇ ଭାଇଙ୍କ ସହିତ ଗୋରଖପୁରରେ ରହି କଲେଜରେ ପଢୁଥିଲା । କଲେଜ ନିର୍ବାଚନରେ ସଭାପତି ପ୍ରାର୍ଥୀଙ୍କୁ ସମର୍ଥନ କରି ରାଜନ ଜୋରଦାର ପ୍ରଚାର କରି ଚର୍ଚ୍ଚାର ପାତ୍ର ବନିଗଲା । ୧୯୯୬ ଅକ୍ଟୋବର ୨୪ ତାରିଖରେ ତକ୍ରାଳୀନ ଗୋରଖପୁର କେଂଟ ବିଧାୟକ ବୀରେନ୍ଦ୍ର ପ୍ରତାପ ଶାହୀଙ୍କ ଉପରେ ହମ୍‌ଲା କରି ରାଜନ ଅପରାଧ ଦୁନିଆରେ ପାଦ ଦେଇଥିଲା । ମାଫିଆ ଶ୍ରୀପ୍ରକାଶ ଶୁକ୍ଳା ସହିତ ମିଶି ରାଜନ ବିଧାୟକ ଶାହୀଙ୍କୁ ହତ୍ୟା କଲା । ପୁଲିସ ଆଖିରୁ ଖସି ବିହାର ପଳାଇଲା । ସେଠାରେ ଦୂର ସମ୍ପର୍କୀୟ ମାମୁଁ ତଥା ଗୋବିନ୍ଦଗଞ୍ଜର ତକ୍ରାଳୀନ ବିଧାୟକ ଦେବେନ୍ଦ୍ର ଦୁବେଙ୍କ ପାଖରେ ରହିଲା । ଦୁର୍ଭାଗ୍ୟକୁ ଦେବେନ୍ଦ୍ର ଦୁବେଙ୍କୁ ହତ୍ୟା କରାଗଲା । ହତ୍ୟାକାଣ୍ଡ ପଛରେ ବିହାରର ତକ୍ରାଳୀନ ମନ୍ତ୍ରୀ ବ୍ରଜବିହାରୀ ପ୍ରସାଦଙ୍କ ନାମ ସାମ୍ନାକୁ ଆସିଥିଲା । ପରେ ପ୍ରସାଦ ହତ୍ୟାର ଶିକାର ହେଲେ । କୁହାଯାଉଛି, ମାମୁଁ ବ୍ରଜ ବିହାରୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ରାଜନ ତକ୍ରାଳୀନ ମନ୍ତ୍ରୀ ପ୍ରସାଦଙ୍କୁ ମାରିଥିଲା । ରାଜନକୁ ପୁଲିସ ଗିରଫ କରି ବେଉର ଜେଲକୁ ପଠାଇଥିଲା । ଜେଲରେ ଥାଇ ରାଜନ ଗୋବିନ୍ଦଗଞ୍ଜ ଆସନରୁ ନିର୍ବାଚନ ଲଢ଼ି ଜିତିଗଲା । ୨୦୧୪ରେ ରାଜନ ହତ୍ୟାକାଣ୍ଡରୁ ମୁକୁଳିଗଲା । ମାତ୍ର କମ୍ୟୁନିଷ୍ଟ ବିଧାୟକ ଅଜିତ ସରକାରଙ୍କ ହତ୍ୟା ମାମଲାରେ ରାଜନ ପୁଣି ବିହାରର ବାହୁବଳୀ ପପୁ ଯାଦବଙ୍କ ସହ ଯୋଡ଼ି ହୋଇଗଲା । ଘଟଣାକ୍ରମେ ଅଜିତ ସରକାରଙ୍କ ହତ୍ୟା ମାମଲାରୁ ରାଜନ ଖଲାସ ହୋଇଗଲା । କୁହାଯାଏ, ଆଇନର ହାତ ଲମ୍ବା, ଦିନେ ନା ଦିନେ ଅପରାଧୀ ଧରାପଡେ଼ । ଆଜି ରାଜନ ଜେଲ ଭିତରେ । କାଲି କୋଉଠି ରହିବ, ଭବିଷ୍ୟତ କହିବ ।