ଉତୁପାତିଆ ବାଇକ ଚାଳକ ସାବଧାନ

ଧ୍ୱନି ପ୍ରଦୂଷଣକାରୀଙ୍କୁ ମୋଟାଅଙ୍କ ଜୋରିମାନା…..

ନୂଆଦିଲ୍ଲୀ: ବୟସ୍କ ନାଗରିକ ଓ ଯୁବତୀଙ୍କ ନିକଟରେ ହଠାତ୍‌ କାନଫଟା ହର୍ଣ୍ଣ ବଜାଇ ମଜା ଦେଖୁଥିବା ଉତୁପାତିଆ ବାଇକ ଚାଳକ ଏଣିକି ମୋଟାଅଙ୍କର ଜୋରିମାନା ଦେବାକୁ ରେଡି ହୋଇଯାଆନ୍ତୁ । ଖୁବଶୀଘ୍ର ଟାଫ୍ରିକ୍‌ ପୁଲିସ ପକ୍ଷରୁ ଉଦ୍‌ଭ୍ରାନ୍ତ ଯୁବକଙ୍କୁ ସାବାଡ୍‌ କରିବା ପାଇଁ ଜୋରଦାର ଅଭିଯାନ ଆରମ୍ଭ ହେଉଛି । ଶନିବାର ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ବାଇକରେ ଏୟାର୍‌ ହର୍ଣ୍ଣ ଓ ଭିନ୍ନ ସାଇଲେନ୍ସର ଲଗାଉଥିବା ମାଲିକଙ୍କୁ ମଧ୍ୟ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ିବ । ସରକାରଙ୍କ ନିଷ୍ପତିକୁ ପ୍ରଥମେ ଦିଲ୍ଲୀ ପୁଲିସ ଗ୍ରହଣ କରି ଟ୍ୱିଟ୍‌ ଜରିଆରେ ସାଧାରଣ ଲୋକଙ୍କୁ ସତର୍କ କରିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆଗରୁ ପୁଲିସ ପକ୍ଷରୁ ଧ୍ୱନି ପ୍ରଦୂଷଣକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଥିଲା ।

ଏବେ ସେହି ଅଭିଯାନକୁ ପୂର୍ବାପେକ୍ଷା ଜୋରଦାର କରାଯିବ । ପ୍ରେଶର ହର୍ଣ୍ଣ ଓ ପରିବର୍ତିତ ସାଇଲେନ୍ସର ବ୍ୟବହାର କରୁଥିବା ଲୋକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ । ଧ୍ୱନି ପ୍ରଦୂଷଣକାରୀଙ୍କୁ ଆଉ କ୍ଷମା କରିବାର ପ୍ରଶ୍ନ ନାହିଁ । ଓଡ଼ିଶାରେ ଶବ୍ଦ ପ୍ରଦୂଷଣକାରୀ ଚାଳକଙ୍କ ଉପରେ ସେଭଳି ଚାପ ପଡ଼ିନି । ମାତ୍ର କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ପୁଲିସର ନିଦ ଭାଙ୍ଗିବା ଅସମ୍ଭବ ନୁହେଁ । ଅବଶ୍ୟ ବିଭିନ୍ନ ରାଜନୈତିକ ଦଳରେ ବହୁତ ଉତୁପାତିଆ ବାଇକ ମାଲିକ ଅଛନ୍ତି । ସେମାନଙ୍କଠାରୁ ପୁଲିସ ଜୋରିମାନା ଆଦାୟ କରିପାରୁଛି କି ନାହିଁ, ଦେଖିବାକୁ ଅପେକ୍ଷା କରୁଛୁ ।