ହାଇଦ୍ରାବାଦରେ ପ୍ରବଳ ବର୍ଷା, ୫୦ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁ ୫୦ ଜଣଙ୍କର ଜୀବନ ହାନି ଘଟିଛି । ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେବ ସହ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର ଆଦି ଭାଙ୍ଗି ଯାଇଛି । ଶନିବାର ମେଡଚଲ ମଲ୍କାଜାଗିରୀ ଜିଲ୍ଲାରେ ୧୫୭.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ବାନ୍ଦଲଗୁଡାରେ ୧୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।

ଏତତ୍ ବ୍ୟତୀତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ ଜଗନମୋହନ ରେଡ୍ଡି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ୨୨୫୦ କୋଟି ଟଙ୍କାର ସହାୟତା ରାଶି ମାଗିଛନ୍ତି । ଜଗନମୋହନ କହିଛନ୍ତି ଯେ, ଅକ୍ଟୋବର ୯ରୁ ୧୩ ରେ ହୋଇଥିବା ବର୍ଷା ଓ ତାପରେ ଆସିଥିବା ବନ୍ୟା ପାଇଁ ପ୍ରାୟ ୪୪୫୦ କୋଟି ଟଙ୍କାର କ୍ଷତି ହୋଇଛି । ରାସ୍ତାଘାଟ, ସ୍କୁଲ ଘର, ବିଦ୍ୟୁତ ଖୁଣ୍ଟ ଆଦି ପ୍ରଭାବିତ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏଠାରେ ସ୍ଥିତି ବେହାଲ ହୋଇ ପଡିଛି । ବାରାମାତୀରେ ପ୍ରବଳ ବର୍ଷା ଫଳରେ ଏକ ପୋଲ ଭାସି ଯାଇଛି । ଫଳରେ ୧୫ଟି ଗ୍ରାମ ସହ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି ।