ନୂଆଦିଲ୍ଲୀ: ଦିଲ୍ଲୀର ଆପ୍ ସରକାର କେନ୍ଦ୍ର ସରକାରଙ୍କ ସିବିଆଇ ଚଢ଼ଉ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷାରେ ‘ଦିଲ୍ଲରେ ‘ଅପରେସନ୍ ଲୋଟସ୍’ ଫେଲ ହେବାରୁ ସରକାର ଭାଙ୍ଗିବା ପାଇଁ ‘ସିବିଆଇ-ଇଡି’କୁ ବ୍ୟବହାର କରାଯାଉଛି । ଲୋକଙ୍କ ମନରେ ଆପ୍ ପ୍ରତି ଘୃଣା ଭାବ ସୃଷ୍ଟି କରିବା ପାଇଁ ମିଛଟାରେ ଚଢ଼ଉ ନାଟକ ଚାଲିଛି ।
ମଦ ଦୁର୍ନୀତିର ତଦନ୍ତ ଯେତିକି ଆଗକୁ ପାଦ ବଢ଼ାଉଛି, ଆପ୍ ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ସେତିକି ତୀବ୍ରତର ହେଉଛି । ମଦ ଦୁର୍ନୀତିର ମୁଖ୍ୟ କାର୍ପଟଦାର ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିସୋଦିୟା ମାମୁଲି ପିଆଦା ବୋଲି ବିଜେପି କହିବା ପରେ ଅରବିନ୍ଦ ଟ୍ୱିଟ୍ କରିଛନ୍ତି, ଦିଲ୍ଲୀରେ ଅପରେସନ୍ ଲୋଟସ୍ ଫେଲ୍ ହୋଇଛି । ମଦନୀତି ଓ ଭ୍ରଷ୍ଟାଚାର ସହିତ ସିବିଆଇ-ଇଡି ଚଢ଼ଉର କୌଣସି ସମ୍ପର୍କ ନାହିଁ । ଆପ୍ ସରକାରକୁ ଭାଙ୍ଗିବାର ବୃଥା ପ୍ରୟାସ ଚାଲିଛି । କେଜ୍ରିୱାଲଙ୍କ ଟ୍ୱିଟ୍ ପୂର୍ବରୁ ମନିଷ ସିସୋଦିୟା ବିଜେପି ବିରୋଧରେ ତୁଣ୍ଡ ଖୋଲିଛନ୍ତି । ମନିଷ କହିଛନ୍ତି, ବିଜେପି ମୋତେ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ଅଛି । ମୁଁ ଆପ୍ ସରକାରକୁ ଭାଙ୍ଗି ଦେଇପାରିଲେ, ମୋ ବିରୋଧରେ ଲଗା ଯାଇଥିବା ସବୁ ଅଭିଯୋଗ ପ୍ରତ୍ୟାହାର କରି ନିଆଯିବାର ପ୍ରତିଶ୍ରୁତି ଦିଆଯାଇଛି ।