ଭାରତ ବିରୋଧରେ ଆଇଏସ୍‌ ଯୋଜନା ପଣ୍ଡ

ଭାରତର ଜଣେ ଲୋକପ୍ରିୟ ରାଜନେତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ….

ମସ୍କୋ: ଭାରତର ଜଣେ ଲୋକପ୍ରିୟ ରାଜନେତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଜଣେ ଆଇଏସ୍‌ ଆତଙ୍କୀକୁ ରୁଷିଆର ଏଫ୍‌ବିଆଇ ଗିରଫ କରିଛି । ସୋମବାର ରୁଷିଆର ସରକାରୀ ସମ୍ବାଦ ପ୍ରସାରଣ ସଂସ୍ଥା ‘ସ୍ପୁଟ୍‌ନିକ୍‌’ ପକ୍ଷରୁ ଏଭଳି ସୂଚନା ପ୍ରସାରଣ କରାଯାଇଛି । ଆନ୍ତର୍ଜାତିକ ସ୍ତରରେ କୁଖ୍ୟାତ ଆତଙ୍କୀ ସଂଗଠନ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ବା ‘ଆଇଏସ୍‌’କୁ ରୁଷିଆ ସରକାର ବାସନ୍ଦ କରିଛନ୍ତି । ଭାରତ ଓ ରୁଷିଆ ଭିତରେ ଘନିଷ୍ଠ ବନ୍ଧୁତା ଥିବାରୁ ଭାରତର ଶତ୍ରୁକୁ ଶତ୍ରୁ ରୂପେ ବିବେଚନା କରି ରୁଷିଆର ପୁତିନ୍‌ ସରକାର ଆଇଏସ୍‌ ଆତଙ୍କୀ ସଂଗଠନ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ରୁଷିଆ ଭିତରେ ଆଇଏସ୍‌ ଆତଙ୍କୀ ପ୍ରବେଶ ଓ ଅବାଧ ଚଳପ୍ରଚଳକୁ ପୁତିନ ସରକାର ନିଷେଧ କରିଛନ୍ତି । ରୁଷିଆର ଏଫ୍‌ବିଆଇ କହିଛି, ଅଟକ ଆତଙ୍କୀକୁ ତୁର୍କୀରେ ଅବସ୍ଥାପିତ ଜଣେ ଆଗଧାଡ଼ିର ଆଇଏସ୍‌ ଆତଙ୍କୀ ‘ଆତ୍ମଘାତୀ ବୋମା’ ଭାବେ ବ୍ୟବହାର କରିବା ପାଇଁ ମନୋନୀତ କରିଥିଲେ । ଅଟକ ଆତଙ୍କୀକୁ ରୁଷିଆ ବାଟ ଦେଇ ଭାରତକୁ ପଠାଇବାର ଯୋଜନା ଥିଲା ।

ଭାରତର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଆଇଏସ୍‌ ଆତଙ୍କୀ ସଂଗଠନ ଦିନରାତି ସୋସିଆଲ୍‌ ମିଡିଆରେ ସକ୍ରିୟ ରହି ସଂଗଠନର ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ପ୍ରସାରଣ କରୁଛି । ଭାରତ ସରକାର ଆଇଏସ୍‌ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି । ଭାରତରେ ‘ଆଇଏସ୍‌’ କାର୍ଯ୍ୟକଳାପକୁ କଠୋର ହସ୍ତରେ ଦମନ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ।