ହୃଦଘାତ ନୁହେଁ, ସୋନାଲି ଫୋଗଟ୍ଙ୍କୁ ହତ୍ୟା!
ସୋନାଲିଙ୍କ ମୃତ୍ୟୁକୁ ପ୍ରଥମେ ସନ୍ଦେହ କରିଥିଲେ ତାଙ୍କ ଭଉଣୀ ରେମନ୍…..
ପାଣାଜୀ: ଟିକ୍ ଟକ୍ ଷ୍ଟାର ଓ ବିଜେପି ନେତା ସୋନାଲି ଫୋଗଟଙ୍କୁ ହତ୍ୟା କରାଯାଇଥିବା ଦାବି କ୍ରମଶଃ ସତ ହେବାକୁ ଯାଉଛି । ପୂର୍ବରୁ ହୃଦଘାତ କାରଣରୁ ସୋନାଲିଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତରମାନେ କହୁଥିଲେ; ମାତ୍ର ବ୍ୟବଚ୍ଛେଦ ରିପୋର୍ଟରୁ ସୋନାଲିଙ୍କ ଶରୀରରେ ତୀକ୍ଷ୍ଣ ଅସ୍ତ୍ର ବାଜିଥିବାର ଚିହ୍ନ ରହିଥିବା ଜଣାପଡ଼ିଛି । ସୋନାଲିଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ ଓ ସୁଖବିନ୍ଦର ହତ୍ୟା କରିଥିବା ଅଭିଯୋଗର ସୁରାକ୍ ପୁଲିସ ହାତରେ ଲାଗିଛି ।
ସୋନାଲି ରହିଥିବା ହୋଟେଲରୁ ପୁଲିସ କିଛି ଭିଡ଼ିଓ ଫୁଟେଜ୍ ସଂଗ୍ରହ କରିଛି । ସକାଳ ସାଢେ଼ ୬ଟାରେ ସୋନାଲି ଫିଟ୍ ଥିଲେ ବୋଲି ହୋଟେଲ କର୍ମଚାରୀମାନେ ପୁଲିସକୁ କହିଛନ୍ତି । ମାତ୍ର ୧୦ଟା ବେଳକୁ ତାଙ୍କର ମୃତ୍ୟୁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଆ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଛି ।
ସୋନାଲି ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଆଜି ରାତିରେ ସୋନାଲିଙ୍କ ପାର୍ଥିବ ଶରୀର ଗୋଆରୁ ହରିଆଣାର ହିସାରକୁ ନିଆଯିବ । ଶୁକ୍ରବାର ତାଙ୍କ ଫାର୍ମ ହାଉସ୍ରେ ଅନ୍ତିମ ସଂସ୍କାର କରାଯିବ । ଗୁରୁବାର ସନ୍ଧ୍ୟା ସାଢେ଼ ୭ଟା ସୁଦ୍ଧା ଗୋଆ ବିମାନ ବନ୍ଦରରେ ସୋନାଲିଙ୍କ ପାର୍ଥିବ ଶରୀର ରହିଛି । ୨୩ ଅଗଷ୍ଟ ଦିନ ୧୦ଟାରେ ସୋନାଲିଙ୍କ ମୃତ୍ୟୁ ଖବର ଲୋକଲୋଚନକୁ ଆସିଥିଲା । ସୋନାଲିଙ୍କ ମୃତ୍ୟୁକୁ ପ୍ରଥମେ ସନ୍ଦେହ କରିଥିଲେ ତାଙ୍କ ଭଉଣୀ ରେମନ୍ ।