ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ରାହୁଲଙ୍କ ହୁଙ୍କାର

ମାଗଣା ବିଜୁଳି, ମାଗଣା ବାଳିକା ଶିକ୍ଷା ଘୋଷଣା

୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍‌, ଚାଷୀଙ୍କୁ ଋଣଛାଡ଼…..

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରକୁ ଦଖଲ କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଂଟା ଭିଡ଼ିଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜିତାଇବା ପାଇଁ ରାହୁଲ ଗାନ୍ଧୀ ଲୋକଙ୍କୁ ମାଗଣା ବିଜୁଳି ସେବା, ୫୦୦ ଟଙ୍କା ରନ୍ଧନ ଗ୍ୟାସ ଓ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ରାହୁଲ ଗାନ୍ଧୀ ।

ଅହମ୍ମଦାବାଦରେ ଦଳୀୟକର୍ମୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାହୁଲ ଗୁଜରାଟ ଜନତାଙ୍କ ପାଇଁ ନିର୍ବାଚନୀ ବାଣ ମାରିଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ବିଧାନସଭା ନିର୍ବାଚନ ହେବ । ଗୁଜରାଟ କ୍ଷମତାକୁ ଗଲେ, କଂଗ୍ରେସ ୧୦ ଲକ୍ଷଙ୍କୁ ନିଯୁକ୍ତି, ୩୦୦୦ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିର୍ମାଣ, ବାଳିକାଙ୍କୁ ମାଗଣା ଶିକ୍ଷା ଓ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୫ ଟଙ୍କା ରିହାତି ଦେବାକୁ କହିଛି ।

କେନ୍ଦ୍ରରେ ଶାସନ କରୁଥିଲା ବେଳେ କଂଗ୍ରେସ ସାରା ଦେଶରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦେଇପାରିଲାନି । ଏବେ ମୋଦୀଜୀଙ୍କ ଗଡ଼ରେ ଦେଇଥିବା ନିର୍ବାଚନୀ ହୁଙ୍କାର ପ୍ରତି କେତେ ଦୂର ଦୃଷ୍ଟିଦେବେ ତାହା ଗୁଜରାଟ କଂଗ୍ରେସ ଜାଣିଛି । କଂଗ୍ରେସରେ ରାହୁଲଙ୍କ ଅହଂକାରକୁ ପ୍ରତିବାଦ କରି ଦକ୍ଷ ଓ ଅଭିଜ୍ଞ ନେତାମାନେ ଅନ୍ୟଦଳକୁ ଚାଲି ଯାଉଥିଲା ବେଳେ ଗୁଜରାଟ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଅଭେଦ୍ୟ ଗଡ଼କୁ କିପରି ଜିତିବ, ତାହା ଦେଖିବାକୁ ବାକି ରହିଲା ।