ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଗ୍ରାଫ୍ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାର ନାଁ ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ଼ ସଂଖ୍ୟକ ୬୮ ହଜାର ୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଦିନକରେ କରୋନାରେ ୯୮୩ ଜଣଙ୍କ ପ୍ରାଣହାନୀ ଘଟିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ଏବେ ସୁଦ୍ଧା ୫୪ ହଜାର ଆକ୍ରାନ୍ତ ପ୍ରାଣ ହରାଇଲେଣି । ଅନ୍ୟପଟେ ବିଶ୍ବର ତୃତୀୟ ଅଧିକ କରୋନା ଆକ୍ରାନ୍ତଙ୍କ ଦେଶ ହୋଇସାରିଛି ଭାରତ। ଏଠି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ଟପିଯାଇଛି ।
ସମାନଭାବେ ୨୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ବିଭିନ୍ନ ରାଜ୍ୟର ରୋଗୀଙ୍କୁ ମିଶାଇ ୬ ଲକ୍ଷରୁ ଅଧିକ ଆକ୍ଟିଭ ମାମଲା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ଚିହ୍ନଟ ହେବାସହ ୨୧ ହଜାର ୩୫୯ ଜଣଙ୍କ ମୃତ୍ୟୁ ଘଟିଛି ।