କର୍ତବ୍ୟପଥ ଉଦ୍ଘାଟନ: ନେତାଜୀ ସୁଭାଷଙ୍କୁ ଟେକିଲେ ମୋଦୀଜୀ
ଆଜି କର୍ତବ୍ୟପଥ ଭାବେ ନୂଆ ଇତିହାସର ପରିପ୍ରକାଶ ଘଟିଛି…….
ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ଆଗରେ କର୍ତବ୍ୟ ପଥ ଉଦ୍ଘାଟନ କରିଛନ୍ତି । ୭ଟାରେ ପହଂଚି ପ୍ରଧାନମନ୍ତ୍ରୀ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମା ଅନାବରଣ କରିଥିଲେ । ଦୀର୍ଘ ୧୯ ମାସର ପରିଶ୍ରମର ଫଳ ସ୍ୱରୂପ ସେଂଟ୍ରାଲ ଭିଷ୍ଟା ଏଭିନ୍ୟୁ ଠିଆ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଜୀ ତାଙ୍କ ଅଭିଭାଷଣରେ କହିଛନ୍ତି, ‘ଆଜାଦି କେ ଅମୃତ ମହୋତ୍ସବ ଅବସରରେ ଦେଶକୁ ନୂଆ ପ୍ରେରଣା ମିଳିଛି ।
ନୂଆ ଶକ୍ତି ମିଳିଛି । ଆଜି ଆମେ ଅତୀତକୁ ଛାଡ଼ି ଆସନ୍ତାକାଲିର ନୂଆ ଛବିରେ ନୂଆ ରଙ୍ଗ ଭରିବାକୁ ଯାଉଛୁ । ଆଜି ଚାରିଆଡେ଼ ଯେଉଁ ନୂତନ ଆଭା ପ୍ରକାଶ ପାଉଛି, ତାହା ନୂଆ ଭାରତର ଆତ୍ମବିଶ୍ୱାସ । ଗୋଲାମଗିରିର ପ୍ରତୀକ ସ୍ୱରୂପ ଥିଲା ରାଜପଥ । ଆଜି ସେହି କଳଙ୍କିତ ରାଜପଥ ସବୁଦିନ ପାଇଁ ଧ୍ୱଂସ ପାଇଛି । ଆଜି କର୍ତବ୍ୟପଥ ଭାବେ ନୂଆ ଇତିହାସର ପରିପ୍ରକାଶ ଘଟିଛି । ଏହି ଶୁଭ ଅବସରରେ ପ୍ରତ୍ୟେକ ଦେଶବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ।
ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମା ଅନାବରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିଟିଶ ସରକାରଙ୍କ ଅଧୀନରେ ଥିଲାବେଳେ ଏହି ସ୍ଥାନରେ ବ୍ରିଟିଶ ରାଜପରିବାରର ପ୍ରତିନିଧିଙ୍କ ପ୍ରତିମା ଠିଆ ହୋଇଥିଲା । ଆଜି ସେଠାରେ ନେତାଜୀଙ୍କ ପ୍ରତିମା ସ୍ଥାପନ କରି ଆଧୁନିକ ଭାରତର ପ୍ରାଣ ପ୍ରତିଷ୍ଠା କରିଛୁ । ସୁଭାଷ ବୋଷ ଜଣେ ମହାମାନବ ଥିଲେ ଯେ ସବୁ ପଦପଦବୀଠାରୁ ଯଥେଷ୍ଟ ଉପରେ ଥିଲେ ।
ପ୍ରଚଣ୍ଡ ସ୍ୱାଭିମାନ ବଳରେ ସେ ନିଜକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିଥିଲେ । ତାଙ୍କ ପାଖରେ ସାହସ ଥିଲା । ସ୍ୱାଭିମାନ ଥିଲା । ବିଚାରଶକ୍ତି ଥିଲା । ଭିଜନ୍ ଥିଲା । ନେତୃତ୍ୱର କ୍ଷମତା ଥିଲା । ନୀତିନିୟମ ଥିଲା । ସ୍ୱାଧୀନତା ଲାଭ ପରେ ଭାରତ ଯଦି ସୁଭାଷବାବୁଙ୍କ ରାସ୍ତାରେ ଚାଲିଥାନ୍ତା । ଆଜି ଦେଶ ବହୁତ ଉଚ୍ଚରେ ଥାନ୍ତା । ମାତ୍ର ଦୁର୍ଭାଗ୍ୟର ବିଷୟ, ସ୍ୱାଧୀନତା ହାସଲ ପରେ ଏହି ମହାନାୟକଙ୍କୁ ଭୁଲିଯିବାକୁ ବାଟ ତିଆରି କରାଗଲା । ତାଙ୍କ ବିଚାରଧାରାକୁ ଅଣଦେଖା କରାଗଲା । ତାଙ୍କ ସହିତ ଜଡ଼ିତ ପ୍ରତୀକଗୁଡ଼ିକୁ ମାଟିରେ ମିଶାଇ ଦିଆଗଲା ।