ମୁମ୍ବାଇ : ବିସିସିଆଇ ସମ୍ବିଧାନରେ ‘କୁଲିଂ ଅଫ ପିରିୟଡ’ ଏବଂ ଅନ୍ୟାନ୍ୟ କିଛି ନିୟମରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି । ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହା ପରବର୍ତ୍ତୀ ନିର୍ବାଚନରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏକ ରାଜ୍ୟ କ୍ରିକେଟ ସଂଘର ଜଣେ ଅଧିକାରୀଙ୍କ କହିବା କଥା, ଜୟ ଶାହା ବିସିସିଆଇ ସଭାପତି ହେବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଗାଙ୍ଗୁଲି କ’ଣ ଦ୍ୱିତୀୟ ଥର ସଭାପତି ହେବେ ନାହିଁ ନା’ ସେ ଆଇସିସିରେ ପଦ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ।
ଯଦି ଗାଙ୍ଗୁଲି ଆଇସିସିକୁ ପ୍ରତିନିଧିତ୍ୱ କରିବେ, ତେବେ ଜୟ ଶାହା ସଭାପତି ହେବାଟା ନିଶ୍ଚିତ । ଆଇସିସିକୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟଙ୍କ ବୟସ ୭୦ ବର୍ଷ ମଧ୍ୟରେ ସୀମିତ ରହିବା ନିୟମ ରହିଛି । ଗାଙ୍ଗୁଲି ଓ ଶାହାଙ୍କ କାର୍ଯ୍ୟକାଳ ପୂରଣ ହୋଇ ଆସିଲାଣି । ସେମାନେ ଅକ୍ଟୋବର ୨୦୧୯ରେ ନିର୍ବାଚିତ ହୋଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ବୋର୍ଡର ନିର୍ବାଚନ ହେବାର ଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଯାହା ଆଶା କରାଯାଉଛି, ଆସନ୍ତା ମାସରେ ବିସିସିଆଇ ନିର୍ବାଚନ ହେବ ।