ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ; ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜିଠୁ ବର୍ଷାର ପ୍ରଭାବ ବଢ଼ିବା ନେଇ କୁହାଯାଇଛି । ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଥିବା ବେଳେ, ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାହା ସହ ଆଗାମୀ ୭୨ ଘଣ୍ଟା ଯାଏଁ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆଜି ଓ ଆସନ୍ତାକାଲି ପାଇଁ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ କୁହାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ଆଗକୁ ବର୍ଷାର ପରିମାଣ ବଢ଼ିବ ବୋଲି ମଧ୍ୟ କୁହାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।