ହିଜାବକୁ ନେଇ ଇରାନରେ ଭୟାନକ ପରିସ୍ଥିତି, ପୋଲିସ ଗୁଳିରେ ୩୧ ମୃତ

ତେହରାନ : ଇରାନରେ ଅଶାନ୍ତ ସ୍ଥିତି । ହିଜାବକୁ ନେଇ ଇରାନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ହିଜାବ ପିନ୍ଧିନଥିବାରୁ ତାଙ୍କ ମୁଣ୍ଡର କେଶ ଦେଖାଯାଉଥିବାରୁ ଇରାନ ମୋରାଲିଟି ପୋଲିସ ନିର୍ଯାତନାରେ ମହିସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ ଦେଖାଦେଇଛି । ମହିଳାମାନଙ୍କ ସହ ପୁରୁଷମାନେ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହାକୁ ନେଇ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଉଛି । ଏପର୍ଯ୍ୟନ୍ତ ପୋଲିସର ଗୁଳିମାଡରେ ୩୧ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଏହାସହ ହଜାରେରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସୂଚନାଅନୁସାରେ, ମହିସା ଆମିନୀ ଜଣେ ମହିଳା ହିଜାବ ପିନ୍ଧିବାକୁ ମନା କରିବାରୁ ତାଙ୍କୁ ଇରାନ ପୋଲିସ ଗତ ୧୩ ତାରିଖରେ ଗିରଫ କରିଥିଲା । ତେବେ ୩ଦିନ ପରେ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଗିରଫ ପରେ ହିଁ ସେ କୋମାକୁ ଚାଲି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ହେପାଜତରେ ଥିବା ବେଳେ ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଆମିନୀଙ୍କ ମୃତ୍ୟୁ ପରେ ଅନେକ ଯୁବକ ଯୁବତୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ ।