୪୦୪୨ଟି ଚାଉଳ ଦାନାରେ ଛାତ୍ରୀ ଲେଖିଲେ ସମ୍ପୂର୍ଣ୍ଣ ‘ଭାଗବତ ଗୀତା’

ହାଇଦ୍ରାବାଦ: କୁହାଯାଏ ଦୃଢ ଇଚ୍ଛା ଶକ୍ତି ବଳରେ ଆମେ ମଣିଷ ଅସାଧ୍ୟକୁ ବି ସାଧିତ କରିପାରେ। ଆଉ ଏଭଳି ଏକ ଅଦ୍ଭୁତ କାର୍ଯ୍ୟକରି ଅସାଧ୍ୟକୁ ସାଧିତ କରିଛନ୍ତି ଜଣେ ଆଇନ ଛାତ୍ରୀ। ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳ ଦାନାରେ ସମ୍ପୂର୍ଣ୍ଣ ଭଗବଦ୍ ଗୀତାଙ୍କୁ ଲେଖି ରେକର୍ଡ ସୃଷ୍ଟି କରିଛନ୍ତି । ଦେଶର ପ୍ରଥମ ମହିଳା ମାଇକ୍ରୋ ଆର୍ଟିଷ୍ଟ ଭାବେ ସେ ଏହି କଲା ପ୍ରଦର୍ଶନ କରିଛନ୍ତି । ରାମାଗିରି ସ୍ଵରିକା ନାମକ ଏହି ଛାତ୍ରୀ ବର୍ତ୍ତମାନ ମାଇକ୍ରୋ ଆର୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି।

ରାମାଗିରି ମତରେ “ଏହାକୁ ପୁରା କରିବାକୁ ମୋତେ ୧୫୦ ଘଣ୍ଟା ସମୟ ଲାଗିଥିଲା। ମୁଁ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ମାଇକ୍ରୋ ଆର୍ଟୱାର୍କ କରିଛି। ମୁଁ ଦୁଗ୍ଧ କଳା, କାଗଜ ଖୋଦନ, ତେଲ ମଞ୍ଜି ଉପରେ ଚିତ୍ର ଇତ୍ୟାଦି ମଧ୍ୟ କରେ ।” ଖାଲି ସେତିକି ନୁହେଁ, ଏହାପୂର୍ବରୁ କେଶ ଉପରେ ସମ୍ବିଧାନର ପ୍ରସ୍ତାବ ସବୁ ଲେଖିଥିଲେ, ଯାହା ପରେ ତାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ସମ୍ମାନିତ କରିଛନ୍ତି । ଏହି ସଫଳତା ପରେ ସେ କହିଛନ୍ତି ଯେ “ଜାତୀୟ ସ୍ତରରେ ମୋର କାର୍ଯ୍ୟକୁ ମାନ୍ୟତା ଦେବାପାଇଁ ମୁଁ ମୋର କଳାକୃତିକୁ ଆନ୍ତର୍ଜାତୀୟ ପ୍ଲାଟଫର୍ମକୁ ନେବାକୁ ପ୍ରସ୍ତୁତ” ।

ସେ ଆହୁରି କହିଛନ୍ତି ଯେ, “ମୋର ସବୁବେଳେ କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ରହିଥିଲା ଏବଂ ପିଲାଦିନରୁ ମୁଁ ଅନେକ ପୁରସ୍କାର ପାଇଛି। ମୁଁ ଚାରି ବର୍ଷ ତଳେ ଚାଉଳ ଦାନା ଉପରେ ଭଗବାନ ଗଣେଶଙ୍କ ଚିତ୍ର ସହିତ ମାଇକ୍ରୋ ଆର୍ଟ କରିବା ଆରମ୍ଭ କଲି, ତା’ପରେ ସେହି ଚାଉଳ ଦାନା ଉପରେ ଇଂରାଜୀ ବର୍ଣ୍ଣମାଳା ଲେଖିଲି” । ଏହାପରେ ୨୦୧୯ ରେ ରାମାଗିରିଙ୍କୁ ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ତରଫରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଏହାପରେ ତାଙ୍କୁ ଭାରତର ପ୍ରଥମ ମାଇକ୍ରୋ କଳାକାର ଭାବରେ ମାନ୍ୟତା ଦିଆଯାଇଥିଲା।

ରାମାଗିରି କହିଛନ୍ତି ଯେ “ମୋତେ ୨୦୧୭ ରେ ଆନ୍ତର୍ଜାତୀୟ ଅର୍ଡର ବୁକ୍ ଅଫ୍ ରେକର୍ଡ ପ୍ରଦାନ କରାଯାଇଥିଲା ଏବଂ ୨୦୧୯ ରେ ମୁଁ ଉତ୍ତର ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ତରଫରୁ ଜାତୀୟ ପୁରସ୍କାର ପାଇଥିଲି” ।ଆଉ ତାଙ୍କର ଏହି ଅଦ୍ଭୂତ କାମ ସାମ୍ନାକୁ ଆସିବା ପରେ ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ସେ ଭାରତର ନାଁ ବିଶ୍ୱ ସ୍ତରରେ ମଧ୍ୟ ଉପରକୁ ନେବେ ବୋଲି ସମସ୍ତେ ଆଶା କରିଛନ୍ତି।