ବିଦ୍ୟାଙ୍କ ସମ୍ବଲପୁରୀ ଶାଢ଼ୀ କିଣିଲେ ଓଡ଼ିଆ ଝିଅ ଦେବାଂଶୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ନିଜ ଫିଲ୍ମ ଶକୁନ୍ତଳା ଦେବୀର ପ୍ରମୋସନ ଇଭେଣ୍ଟରେ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ଶାଢ଼ୀଟି ବେଶ ଚର୍ଚ୍ଚାକୁ ଆସିଥିଲା। ଏହା ଏଥିପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା କାରଣ ଶାଢ଼ୀଟିରେ ବିଦ୍ୟାଙ୍କ ଚରିତ୍ରକୁ ସୁହାଇଲା ଭଳି ବିଭିନ୍ନ ଗାଣିତିକ ସୁତ୍ର, ସମୀକରଣ ଆଦିକୁ ସୁନ୍ଦରଭାବେ ଚିତ୍ରିତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଶାଢ଼ୀଟି ନିଲାମ ହୋଇଥିବା ବେଳେ ଜଣେ ଓଡ଼ିଆ ଛାତ୍ରୀ ଏହାକୁ କିଣିଛନ୍ତି।

ଏହା ଏକ ସମ୍ବଲପୁରୀ ରେସମ ଶାଢ଼ୀ ହୋଇଥିବା ବେଳେ ସୋନପୁରର ପ୍ରସିଦ୍ଧ ବୁଣାକାର ଭାଗବତ ମେହେର ୨୦୧୫ ୧୬ରେ ଏହାକୁ ବୁଣିଥିଲେ। ପରେ ଓଡ଼ିଶାର ହସ୍ତକଳା, ବୟନ ଶିଳ୍ପର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଉତ୍କଳଅମ୍ରିତା ପକ୍ଷରୁ ଏହି ଶାଢ଼ୀଟିକୁ ବିଦ୍ୟାଙ୍କୁ ଦିଆଯାଇଥିଲା। ଶାଢ଼ୀଟିକୁ ବିଦ୍ୟା ବେଶ ପସନ୍ଦ କରିଥିଲେ। ଏପରିକି ଖୁସିରେ ଗଦଗଦ ହୋଇ ସମ୍ବଲପୁରୀ ହସ୍ତଶିଳ୍ପ ଏବଂ ଏହାର ବୁଣାକାର ମାନଙ୍କୁ ପ୍ରଂଶସା କରି ଏକ ଭିଡିଓ ସେ ସେୟାର କରିଥିଲେ। ଯାହାକି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଶାଢ଼ୀର ନିଲାମ ନେଇ ଅଗଷ୍ଟ ୧୫ ତାରିଖରେ ଉତ୍କଳଅମ୍ରିତା ପକ୍ଷରୁ ଘୋଷଣା କରାଯାଇଥିଲା। ଶେଷରେ ସର୍ବାଧିକ ବୋଲି ଲଗାଇ ୫୫ ହଜାର ଟଙ୍କାରେ ଏହାକୁ କିଣିଛନ୍ତି ଓଡ଼ିଆ ଝିଅ ଦେବାଂଶୀ ମିଶ୍ର। ଦେବାଂଶୀ ବର୍ତ୍ତମାନ ଆଇଆଇଟି ଗୌହାଟୀର ଛାତ୍ରୀ। ଏହି ନିଲାମରୁ ମିଳିଥିବା ଲାଭାଂଶକୁ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ ବୋଲି ଉତ୍କଳଅମ୍ରିତା ପକ୍ଷରୁ କୁହାଯାଇଛି।

ଦେବାଂଶୀ ମିଶ୍ର