ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ହିଁ ଆଗାମୀ ଦିନରେ ବିଜେପିକୁ ତଳିତଳାନ୍ତ କରିବ ବୋଲି ଆନ୍ତର୍ଜାତିକ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ମନ୍ତବ୍ୟ ପ୍ରଦାନ କରିଛି ରାଷ୍ଟ୍ରୀୟ ପରିବର୍ତନ ଦଳ (ଆରପିଡି) ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଦେଶରୁ ପକ୍ଷପାତ ଚିନ୍ତାଧାରାକୁ ହଟାଇବାରେ ବିଫଳ ହୋଇଛି । ଆନ୍ତର୍ଜାତିକ ରିପୋର୍ଟ ତାଲିକାର ପ୍ରଥମ ସ୍ଥାନରେ ନରୱେ, ଦ୍ୱିତୀୟ ସ୍ଥାନରେ ଜର୍ମାନୀ ଓ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଥିଲାବେଳେ ଭାରତ ୧୨୩ତମ ସ୍ଥାନରେ ଅଛି । ୨୦୨୦ରେ ଭାରତ ୧୨୯ତମ ସ୍ଥାନରେ ଥିଲା । କରୋନା ମହାମାରୀ କାରଣରୁ ବିଗତ ଦୁଇବର୍ଷ ତାଲିକା ପ୍ରସ୍ତୁତ କରାଯାଇ ନଥିଲା । ୨୦୨୨ ରିପୋର୍ଟ ଦର୍ଶାଇଛି, ଭାରତ ସାମଗ୍ରିକ ବର୍ଗରେ ପୂର୍ବ ତାଲିକାଠାରୁ ୬ଟି ସ୍ଥାନ ଉପରକୁ ଉଠିଥିଲେ ମଧ୍ୟ ତାହା ଉତ୍ସାହଜନକ ନୁହେଁ । ସର୍ବନିମ୍ନ ମଜୁରୀ ପ୍ରଦାନ ତାଲିକାରେ ଭାରତ ପୂର୍ବ ତାଲିକାରେ ସ୍ଥାନ ପାଇବାଠାରୁ ଆହୁରି ୭୩ ତଳକୁ ଖସିଯାଇଛି । ଭାରତର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଦିଗରେ ସରକାରଙ୍କ ପଦକ୍ଷେପ ନିହାତି ଖରାପ । ତା’ ସହିତ ଶ୍ରମିକଙ୍କ ଅଧିକାରର ସୁରକ୍ଷା ପ୍ରତି ସରକାର ଯତ୍ନବାନ୍ ନୁହନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପରୁ ଶ୍ରମିକ ବର୍ଗ କିଛି ଫାଇଦା ପାଇନାହାନ୍ତି । ମାତ୍ର ବ୍ୟବସାୟୀ ଓ ଶିଳ୍ପପତିମାନେ ଯଥେଷ୍ଟ ଫାଇଦା ପାଇଛନ୍ତି । ମୋଦୀଙ୍କ ବେପରୁଆ ଅର୍ଥନୈତିକ ପଦକ୍ଷେପ ଭାରତର ବିକାଶକୁ ବହୁ ପରିମାଣର କ୍ଷତି ପହଂଚାଇଛି ।
ଅକ୍ସଫାମ ଇଣ୍ଡିଆ ସିଇଓ କହିଛନ୍ତି, ଭାରତ ଏବେମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ପ୍ରତି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନି । ମୋଦୀଙ୍କ ବହୁଚର୍ଚ୍ଚିତ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟସେବା ଦେଶର ସ୍ୱାସ୍ଥ୍ୟସେବାକୁ ଆଖିଠାର । ସ୍ୱାସ୍ଥ୍ୟକ୍ଷେତ୍ରରେ ମୋଦୀ ସରକାରଙ୍କ ବ୍ୟୟ ହାର ମୋଟ ବ୍ୟୟହାର ତୁଳନାରେ ମାତ୍ର ୩.୬୪% । ଏପରିକି ବ୍ରିକ୍ସ ଓ ପଡେ଼ାଶୀ ଦେଶଗୁଡ଼ିକ ତୁଳନାରେ ଭାରତର ସ୍ୱାସ୍ଥ୍ୟକ୍ଷେତ୍ରର ବ୍ୟୟହାର ଅତ୍ୟନ୍ତ ଦୁଃଖଦାୟକ । ଭାରତ ତୁଳନାରେ ରୁଷିଆ ଓ ଚୀନ ଭଳି କମୁନିଷ୍ଟ ଶାସକଙ୍କ ସ୍ୱାସ୍ଥ୍ୟକ୍ଷେତ୍ରର ବ୍ୟୟହାର ବହୁ ଆଗରେ ରହିଛି । ଏପରିକି ପଡେ଼ାଶୀ ପାକିସ୍ତାନରେ ସ୍ୱାସ୍ଥ୍ୟକ୍ଷେତ୍ରରେ ବ୍ୟୟହାର ୪.୩% ଯାହା ଭାରତଠାରୁ ସାମାନ୍ୟ ଆଗରେ ।
ରିପୋର୍ଟର ଆହୁରି କେତୋଟି ବିଶିଷ୍ଟ ସୂଚକାଙ୍କ ଉପରେ ଦୃଷ୍ଟି ବୁଲାଇ ଆରପିଡି ମୁଖପାତ୍ର ରାଜେନ୍ଦ୍ର ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ବାକ୍ୟବୀର । କାମରେ ଠକ ନମ୍ବର ୱାନ୍ । ଏଭଳି ଜିଦ ସ୍ୱଭାବର ଲୋକକୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ବିଜେପି ନିଜଗୋଡ଼କୁ କୁରାଢ଼ୀ ଚୋଟ ପକାଇଛି । ମୋଦୀଙ୍କ ତୃତୀୟବାର ପ୍ରଧାନମନ୍ତ୍ରୀ ଆଶା ଫଳବତୀ ହେବ ନାହିଁ । ବିମୁଦ୍ରାକରଣର କଷ୍ଟକୁ ଏ ଯାଏ ଭୁଲି ପାରିନାହାନ୍ତି ଦେଶବାସୀ ।