ନୂଆଦିଲ୍ଲୀ: ମୋଷ୍ଟ ୱାଂଟେଡ୍ ଆତଙ୍କୀ ଦାଉଦ୍ ଇବ୍ରାହିମ ଓ ହାଫିଜ ସୈଦଙ୍କୁ ଭାରତକୁ କେବେ ସମର୍ପଣ କରିବେ ପାକିସ୍ତାନ ସରକାର? ଭାରତ-ପାକ୍ ଆତଙ୍କୀ ପ୍ରତ୍ୟର୍ପଣ ରାଜିନାମା ପାଇଁ ବାଟ ଫିଟିବାର ସମ୍ଭାବନା ଅଛି କି? ଏଭଳି ବହୁ ଅସମାହିତ ପ୍ରଶ୍ନ ଭାରତୀୟ ଗଣମାଧ୍ୟମ ମନରେ ରହିଛି । ଅକ୍ଟୋବର ୧୮ ତାରିଖରୁ ତିନିଦିନ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଇଂଟରପୋଲ ମହାବୈଠକ । ଉକ୍ତ ମହାବୈଠକରେ ଯୋଗ ଦେବାପାଇଁ ୧୯୫ଟି ଦେଶର ପ୍ରତିନିଧିମାନେ ନୂଆଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି ।
ଇତିମଧ୍ୟରେ ନୂଆଦିଲ୍ଲୀରେ ପହଂଚିଛନ୍ତି ପାକିସ୍ତାନ ଫେଡେରାଲ ଏଜେନ୍ସି (ଏଫ୍ଆଇଏ) ନିର୍ଦ୍ଦେଶକ । ଦୀର୍ଘ ୨୫ ବର୍ଷ ପରେ ନୂଆଦିଲ୍ଲୀରେ ଇଂଟରପୋଲର ଦ୍ୱିତୀୟ ମହାବୈଠକ ଅନୁଷ୍ଠିତ ହେଉଛି । ଏହା ପୂର୍ବରୁ ୧୯୭୭ ମସିହାରେ ନୂଆଦିଲ୍ଲୀରେ ପ୍ରଥମ ଇଂଟରପୋଲ ମହାବୈଠକ ଅନୁଷ୍ଠିତ ହୋଇଥିଲା ।
ମଙ୍ଗଳବାର ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ, ଭ୍ରଷ୍ଟାଚାର, ନିଶା କାରବାର, ବେଆଇନ ଶିକାର ଓ ସଂଗଠିତ ଅପରାଧକୁ ବିଶ୍ୱ ମାନବ ସମାଜ ପାଇଁ ମହାବିପଦ ଦର୍ଶାଇ କହିଛନ୍ତି ଆତଙ୍କୀମାନେ ହିଂସା ଓ ରକ୍ତପାତକୁ ବିଶ୍ୱବ୍ୟାପୀ କରିବା ପାଇଁ ଅନ୍ଲାଇନ୍କୁ ମୁଖ୍ୟ ଆୟୁଧ ରୂପେ ବ୍ୟବହାର କରୁଛନ୍ତି । ଆତଙ୍କବାଦକୁ ସମୂଳେ ଲୋପ କରିବା ପାଇଁ ବିଶ୍ୱବାସୀଙ୍କୁ ଏକଜୁଟ ହେବାର ସମୟ ଆସିଛି । ଆତଙ୍କବାଦ ଭୌତିକ ରୂପରେ ନୁହେଁ; ଏବେ ସାଇବର ଓ ଅନ୍ଲାଇନ୍କୁ ଗ୍ରାସ କରିଛି ।
ଇଂଟରପୋଲ ଅର୍ଥ ଇଂଟରନ୍ୟାସନାଲ କ୍ରିମିନାଲ ପୁଲିସ ଅର୍ଗାନାଇଜେସନ୍ ଏକ ଅନ୍ତର୍ଜାତୀୟ ସଂସ୍ଥା । ଉକ୍ତ ସଂସ୍ଥା ସବୁ ଦେଶର ପୁଲିସ ସହିତ ସଂପର୍କ ରକ୍ଷା କରି ତା’ର ବିଶ୍ୱବ୍ୟାପୀ କାର୍ଯ୍ୟ ତୁଲାଇଥାଏ । ୧୯୨୩ ମସିହାରୁ ଇଂଟରପୋଲ କାମ କରୁଛି । ଫ୍ରାନ୍ସର ଲିୟୋନ ସହରରେ ଇଂଟରପୋଲ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ରହିଛି ।
ଏନ୍ଆଇଏ ରିପୋର୍ଟ ଅନୁସାରେ ଦାଉଦ୍ ଗ୍ୟାଙ୍ଗ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଇ ଆସୁଛି । ଭାରତରେ ଦାଉଦ ଗ୍ୟାଙ୍ଗ ସକ୍ରିୟ ରହିଛି । ଫଳରେ ମୁମ୍ବାଇ, ଠାଣେ ଓ ତା’ର ଆଖପାଖ ଇଲାକାରେ ନିଶା କାରବାର, ଠିକାଦାର ସଂସ୍ଥାକୁ ଧମକ, ଜୁଆ, ଦାଦାବଟି ଆଦାୟ ଭଳି ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । ଦାଉଦ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଏନ୍ଆଇଏ ।