୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି ।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସରକାର ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି । ମସୁରର କୁଇଣ୍ଟାଲ ପ୍ରତି ଏମଏସପି ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ରେପସିଡ ଏବଂ ସୋରିଷର କୁଇଣ୍ଟାଲ ପ୍ରତି ଏମଏସପି ୪୦୦ ଟଙ୍କା ବଢ଼ିଛି । କୁସୁମର କୁଇଣ୍ଟାଲ ପ୍ରତି ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି । ଗହମ, ଚଣା ଏବଂ ଯଅର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୧୦, ୧୦୫ ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି ।

 

୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

(କୁଇଣ୍ଟାଲ ପ୍ରତି ଟଙ୍କା)

କ୍ରଂସଂ ଫସଲ ଏମଏସପି

ରବି ବିପଣନ ଋତୁ 2022-23

ଏମଏସପି

ରବି ବିପଣନ ଋତୁ

2023-24

ଉତ୍ପାଦନ ଖର୍ଚ୍ଚ ରବି ବିପଣନ ଋତୁ RMS 2023-24 ଏମଏସପିରେ ବୃଦ୍ଧି (ଫରକ ଟଙ୍କା) ଖର୍ଚ୍ଚ ଉପରେ ରିଟର୍ଣ୍ଣର ପ୍ରତିଶତ
1 ଗହମ 2015 2125 1065 110 100
2 ଯଅ 1635 1735 1082 100 60
3 ଚଣା 5230 5335 3206 105 66
4 ମସୁର 5500 6000 3239 500 85
5 ରେପସିଡ ଏବଂ ସୋରିଷ 5050 5450 2670 400 104
6 କୁସୁମ 5441 5650 3765 209 50

*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଆରୋପିତ ମୂଲ୍ୟ ସାମିଲ ରହିଛି ।

 

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ। ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ ।

୨୦୧୪-୧୫ ବର୍ଷ ଠାରୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଆସୁଛି । ଏହାର ସୁଫଳ ଦେଶରେ ଦେଖିବାକୁ ମିଳିଛି । ୨୦୧୪-୧୫ରେ ତୈଳ ବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ୍‌ ଥିବା ବେଳେ ଏହା ୨୦୨୧-୨୨ରେ ୩୭.୭୦ ନିୟୁତ ଟନ (ଚତୁର୍ଥ ଅଗ୍ରୀମ ଆକଳନ)କୁ ବୃଦ୍ଧି ପାଇଛି । ଡାଲିଜାତୀୟ ଫସଲ ଉତ୍ପାଦନ ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି । ବିହନ ମିନିକିଟ୍ସ କାର୍ଯ୍ୟକ୍ରମ ଚାଷୀଙ୍କ କ୍ଷେତରେ ନୂଆ କିସମର ବିହନ ବୁଣିବା କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହୋଇଛି ।

ଡାଲି ଜାତୀୟ ଫସଲ ଓ ତୈଳବୀଜ ଉତ୍ପାଦନ ୨୦୧୪-୧୫ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୪-୧୪ରେ ହେକ୍ଟର ପ୍ରତି ୭୨୮ କିଲୋଗ୍ରାମ ଡାଲି ଉତ୍ପାଦନ ହେଉଥିଲା। ଏହା ତୁଳନାରେ ୨୦୨୧-୨୨ ଚତୁର୍ଥ ଆକଳନ ଅନୁଯାୟୀ ହେକ୍ଟର ପିଛା ୮୯୨ କିଲୋଗ୍ରାମ ଡାଲି ଉତ୍ପାଦିତ ହେଉଛି । ସେହିପରି ତୈଳବୀଜ ଫସଲ ଉତ୍ପାଦନ ୨୦୧୪-୧୫ରେ ହେକ୍ଟର ପିଛା ୧୦୭୫ କିଲୋଗ୍ରାମ ଥିବା ବେଳେ ଏହା ୨୦୨୧-୨୨ ଚତୁର୍ଥ ଅଗ୍ରୀମ ଆକଳନ ଅନୁଯାୟୀ ହେକ୍ଟର ପିଛା ୧୨୯୨ କିଲୋଗ୍ରାମକୁ ବୃଦ୍ଧି ପାଇଛି ।

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି । କୃଷି କ୍ଷେତ୍ର ସମ୍ପ୍ରସାରଣ, ଉଚ୍ଚ ଅମଳ କିସମ, ଏମଏସପି ସହାୟତା ଏବଂ କ୍ରୟ ଆଦି ଜରିଆରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି ।

ଦେଶର କୃଷି କ୍ଷେତ୍ରରେ ପ୍ରଯୁକ୍ତି ଏବଂ ନବୋନ୍ମେଷର ଉପଯୋଗ ଜରିଆରେ ସରକାର ସ୍ମାର୍ଟ କୃତି ପଦ୍ଧତି ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାର ଏକ ଡିଜିଟାଲ କୃଷି ମିଶନ (ଡିଏଏମ) କାର୍ଯ୍ୟକାରୀ କରୁଛନ୍ତି, ଏଥିରେ ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଅଫ ଏଗ୍ରିକଲଚର (ଆଇଡିଇଏ), ଚାଷୀ ଡାଟାବେସ, ଏକୀକୃତ ଚାଷୀ ସେବା ଇଣ୍ଟରଫେସ (ୟୁଏଫଏସଆଇ) ନୂଆ ପ୍ରଯୁକ୍ତି ଉପରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ (ଏନଇଜିପିଏ), ମାହାଲନବିସ ଜାତୀୟ ଫସଲ ଆକଳନ କେନ୍ଦ୍ର (ଏମଏସସିଏଫସି)ର ପୁନରୁଦ୍ଧାର, ମୃତ୍ତିକା ସ୍ବାସ୍ଥ୍ୟ, ଉର୍ବରତା ଏବଂ ପ୍ରୋଫାଇଲ ମ୍ୟାପିଂ ଆଦି ସାମିଲ ରହିଛି । ଏନଇଜିପିଏ କାର୍ଯ୍ୟକ୍ରମ ଅଧୀନରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନ ଲର୍ଣ୍ଣିଂ (ଏଆଇ/ଏମଏଲ), ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି), ବ୍ଲକ୍‌ ଚେନ୍‌ ଆଦି ଭଳି ପ୍ରଗତିଶୀଳ ପ୍ରଯୁକ୍ତି ଉପଯୋଗ କରାଯାଇ ଡିଜିଟାଲ କୃଷି ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି । ଡ୍ରୋନ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯାଉଛି । ସ୍ମାର୍ଟ କୃଷି ପ୍ରୋତ୍ସାହନ ଦେବା ଲାଗି, ସରକାର କୃଷି କ୍ଷେତ୍ରରେ ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ।