ଭାରତର ସ୍ୱାସ୍ଥ୍ୟ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ। କେଉଁଠି ସୁଗାର ସମସ୍ୟା ତ ଆଉ କେଉଁଠି ହୃଦରୋଗ। କେଉଁଠି ଥାଇରଏଡ୍, ଆର୍ଥ୍ରାଇଟିସ୍ ସମସ୍ୟା ଆଉ କେଉଁଠି ଷ୍ଟ୍ରୋକ୍ ଭୟ। ସବୁଠାରୁ ବଡ଼ କଥା ହେଉଛି ଏବେ ରୋଗ ବୟସ ଦେଖିକି ଆସୁନି। ବରଂ ଜୀବନଶୈଳୀ ଆଧାରରେ ଆକ୍ରମଣ କରୁଛି। କିନ୍ତୁ ପ୍ରଶ୍ନ ହେଉଛି, ଜୀବନଶୈଳୀକୁ କିଏ ନଷ୍ଟ କରୁଛି? ଏହାର ଉତର ହେଉଛି ଆମ ପକେଟରେ ଥିବା ଏହି ସ୍ମାର୍ଟଫୋନ୍!
ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ, ଭାରତୀୟମାନେ ସ୍କ୍ରିନ୍ ଦେଖିବାରେ ୧.୧ ଟ୍ରିଲିୟନ ଘଂଟା ଅର୍ଥାତ୍ ଏକ ଲକ୍ଷ ଦଶ ହଜାର କୋଟି ଘଂଟା ବିତାଇଛନ୍ତି। ଏହାର ଅର୍ଥ ହେଉଛି ଯେ ହାରାହାରି ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଫୋନରେ ୫ ଘଂଟା ବିତାଇଛନ୍ତି, ଏବଂ ଏଥିରେ ପ୍ରାୟ ୭୦% ସୋସିଆଲ ମିଡିଆ, ଗେମିଂ ଏବଂ ଛୋଟ ଭିଡିଓରେ ନଷ୍ଟ କରିଛନ୍ତି।
ଯାହାଦ୍ୱାରା ଲୋକଙ୍କ ନିଦ, ମସ୍ତିଷ୍କ, ଅନ୍ତନଳୀ ସ୍ୱାସ୍ଥ୍ୟ ଏବଂ ହରମୋନ ପ୍ରଣାଳୀ ଦ୍ରୁତ ଗତିରେ ଖରାପ ହେଉଛି। ରାତିରେ ସ୍କ୍ରିନରୁ ଆସୁଥିବା ନୀଳ ଆଲୋକ ଶରୀରରେ ପ୍ରଦାହ ମାର୍କରଗୁଡ଼ିକୁ ସକ୍ରିୟ କରିଥାଏ। ଏବଂ ଖରାପ ନିଦ, ନିରନ୍ତର ଅଧିକ ସ୍କ୍ରୋଲିଂ ମସ୍ତିଷ୍କକୁ ଉତେଜିତ କରିଥାଏ, ଏବଂ ନୋଟିଫିକେସନ୍ ଡୋପାମିନ୍ ନିଶା ସୃଷ୍ଟି କରିଥାଏ। ଫଳସ୍ୱରୂପ, ଛୋଟ ଛୋଟ ଆନନ୍ଦ ପାଇଁ ମଧ୍ୟ ମସ୍ତିଷ୍କକୁ ଧୀରେ ଧୀରେ ଅଧିକ ଉତେଜନା ଆବଶ୍ୟକ ହୁଏ।
ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାରର କ୍ଷତିକାରକ ପ୍ରଭାବ:
ନିଦ ଉପରେ ପ୍ରଭାବ: ସ୍ମାର୍ଟଫୋନରୁ ନିର୍ଗତ ନୀଳ ଆଲୋକ ନିଦ ବ୍ୟାଘାତକାରୀର ସବୁଠାରୁ ବଡ଼ କାରଣ। ନୀଳ ଆଲୋକ ଆମ ମସ୍ତିଷ୍କକୁ ସଙ୍କେତ ଦିଏ ଯେ ଏବେ ଦିନ ଅଛି। ଏହା ମେଲାଟୋନିନ୍ ଉତ୍ପାଦନକୁ ବାଧା ଦିଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ ବ୍ୟବହାର କରିବା ଦ୍ୱାରା ଆମ ଶରୀରର ଆଭ୍ୟନ୍ତରୀଣ ଜୈବିକ ଘଂଟା ବ୍ୟାହତ ହୁଏ, ଯାହା ଗଭୀର ନିଦକୁ ବାଧା ଦିଏ।
ଅନ୍ତନଳୀ ସ୍ୱାସ୍ଥ୍ୟ / ପାଚନ: ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ କି, ଫୋନ୍ ଏବଂ ଆମ ପେଟ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ଅଛି। ଖାଇବା ସମୟରେ ଫୋନ୍ କୁ ଚାହିଁ ରହିବା ଦ୍ୱାରା ଖରାପ ଭାବରେ ଚୋବାଇବା ଏବଂ ଅତ୍ୟଧିକ ଖାଇବା ହୋଇପାରେ, ଯାହା ହଜମ ଏବଂ ଓଜନ ବୃଦ୍ଧି କରିଥାଏ। ଚାପ ଏବଂ ଚିନ୍ତା ସିଧାସଳଖ ଆମ ଅନ୍ତନଳୀର ମାଇକ୍ରୋବାୟୋମକୁ ପ୍ରଭାବିତ କରେ, ଯାହା ଗ୍ୟାସ୍ ଏବଂ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିପାରେ।
ମସ୍ତିସ୍କ ଉପରେ ପ୍ରଭାବ: ସ୍ମାର୍ଟଫୋନର ସବୁଠୁ ଅଧିକ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ସୋସିଆଲ ମିଡିଆର ବିଜ୍ଞପ୍ତି ଏବଂ ‘ଲାଇକ୍’ ମସ୍ତିଷ୍କରେ ଡୋପାମିନ୍ ରିଲିଜ୍ କରେ। ଏହା ଏକ ନିଶା ଭାବରେ କାର୍ଯ୍ୟ କରେ, ଯାହା ଫଳରେ ଏକାଗ୍ରତା କମିଯାଏ ଏବଂ ଚିନ୍ତା ବଢ଼ିଯାଏ।