ମାଲକାନଗିରି: ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ଗ୍ରାମୀଣ ଭିତିଭୂମିର କାୟାକଳ୍ପ ବଦଳିବାରେ ଲାଗିଛି।
ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଏବଂ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଜିଲ୍ଲା ପାଇଁ ମୋଟ ୮୪୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଏଥିମଧ୍ୟରୁ ୩୧୮.୯୨ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ୩୧ଟି ପ୍ରକଳ୍ପକୁ ଲୋକାର୍ପିତ କରାଯାଇଥିବା ବେଳେ ୧୮୪.୬୩ କୋଟି ଟଙ୍କା ଅଟକଳ ମୂଲ୍ୟର ୩୦ଟି ନୂତନ ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଛି।
ଜିଲ୍ଲାରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୪୨୨ଟି ପ୍ରକଳ୍ପ ମଧ୍ୟରୁ ୩୯୨ଟି ସଫଳତାର ସହ ଶେଷ ହୋଇଥିବା ବେଳେ ଚଳିତ ୨୦୨୫-୨୬ ବର୍ଷରେ ୪୩.୯୬ କୋଟି ଟଙ୍କା ବ୍ୟୟରେ ୯୬୪ଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଉପସ୍ଥିତ ରହି ବିକାଶମୂଳକ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ରତ୍ନାକର ସିଆଲ ସାମିଲ ହୋଇଥିଲେ।
ଏହି ସମସ୍ତ ପ୍ରକଳ୍ପ ଜିଲ୍ଲାର ଶିକ୍ଷା, ଯୋଗାଯୋଗ ଓ ସାମାଜିକ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତନ ଆଣିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ସରକାର ସମସ୍ତଙ୍କ ସାଥୀରେ, ସମସ୍ତଙ୍କ ବିକାଶ ମନ୍ତ୍ରକୁ ଆଗରେ ରଖି ଗ୍ରାମୀଣ ସଂଯୋଗ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ କାମ ହେଉଛି।
ସେ ଆହୁରି କହିଛନ୍ତି ଯେ, ପିଏମ୍ଜିଏସ୍ୱାଇ ଯୋଜନାରେ ୧୬୮ଟି ରାସ୍ତା ନିର୍ମାଣ ସହ ଦୁର୍ଗମ ଅଂଚଳକୁ ସଂଯୋଗ କରାଯିବ। ଏହା ସହିତ ଆୟୁର୍ବେଦିକ ମେଡିକାଲ କଲେଜ, ପାନୀୟ ଜଳ ପ୍ରକଳ୍ପ ଓ ରେଳ ସଂଯୋଗ ଭଳି ମୁଖ୍ୟ ପ୍ରକଳ୍ପ ମାଲକାନଗିରିର ଉନ୍ନତିକୁ ଆହୁରି ଗତି ଦେବ।
କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।