କଣାସରେ ଯୁବକଙ୍କୁ ହାଣି ବୁଲେଟ୍‌ ଚଢ଼ାଇବା ମାମଲା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୃତ୍ୟୁଞ୍ଜୟ ଭାରିମଲ ଆମକୁ ମାରିବାକୁ …

କଣାସ: ମୃତ୍ୟୁଞ୍ଜୟ ଭାରିମଲ ଆମକୁ ମାରିବାକୁ ଉଦ୍ୟମ କରିଥିଲା। ଗତ ୩୦ ତାରିଖରେ ଖଣ୍ଡା ଧରି ଗୋଡାଇଥିଲା। ଆମେ ବର୍ତି ଯାଇଥିଲୁ। ସୁଯୋଗ ପାଇ ଏହାର ପ୍ରତିଶୋଧ ନେଲୁ। ଏକୁଟିଆ ପାଇ ହାଣିଲୁ। ପୁରୀ ଜିଲ୍ଲା କଣାସରେ ଯୁବକଙ୍କୁ ପନିକିରେ ହାଣିବା ପରେ ବୁଲେଟ୍‌ ଚଢ଼ାଇବା ମାମଲାରେ ପୁଲିସ୍‌ ଆଗରେ ଏଭଳି ତଥ୍ୟ ରଖିଛନ୍ତି ଅଭିଯୁକ୍ତମାନେ। ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଣାସ ଥାନା ଅଧୀନ ଦୋକନ୍ଦାର ନିରଞ୍ଜନ ବଡଜେନା ଓରଫ ଧରମା (୨୧), ସାହାଣାର ଚନ୍ଦ୍ରକାନ୍ତ ଜେନା ଓରଫ ବାପି (୩୯), ତେନ୍ତୁଳିମୂଳର ଚିନ୍ମୟ ଗଜେନ୍ଦ୍ର ଓରଫ ପିଂଟୁ (୨୦) ଓ ସିରେଇ ଗ୍ରାମର ଅଜୟ ବଳିୟାରସିଂହ। ଅଭିଯୁକ୍ତଙ୍କ ନିକଟରୁ ଏକ ମୋବାଇଲ୍‌ ଓ ଆକ୍ରମଣରେ ବ୍ୟବହୃତ ପନିକି ଜବତ କରାଯାଇଥିବା ସତ୍ୟବାଦୀ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍‌ପି ପ୍ରତୀକ ସିଂ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଧାଂଶୁ ମହାପାତ୍ର ଓରଫ୍‌ ହାପି ଫେରାର୍‌ ରହିଛି।

ପୁଲିସ୍‌ ସୂଚନା ଅନୁଯାୟୀ, କିଛିଦିନ ତଳେ ମୃତ୍ୟୁଞ୍ଜୟ ସହ ହାପିର ଝଗଡା ହୋଇଥିଲା। ପ୍ରତିଶୋଧ ନେବାକୁ ମୃତ୍ୟୁଞ୍ଜୟର ଯାତାୟାତ ଉପରେ ସେ ନିଜେ ନଜର ରଖିବା ସହ ସହଯୋଗୀଙ୍କୁ କାମରେ ନିୟୋଜିତ କରିଥିଲା। ମୃତ୍ୟୁଞ୍ଜୟ ଗତ ୨ ତାରିଖ ସକାଳ ସାଢେ଼ ୮ଟାରେ ଗୋଲାବଜାରକୁ ମାଛ ଆଣିବା ଲାଗି ଏକୁଟିଆ ଆସିଥିବା ଦେଖିଥିଲା ହାପି ଶଳା ଧର୍ମେନ୍ଦ୍ର ବଡଜେନା। ସେ ତୁରନ୍ତ ଭିଣୋଇଙ୍କୁ ଖବର ଦେଇଥିଲା। ହାପି ଅନ୍ୟ ସହଯୋଗୀଙ୍କୁ ତୁରନ୍ତ ଗୋଲାବଜାରରେ ପହଂଚିବାକୁ କହିଥିଲା। ହାପି ପହଂଚିବା ପରେ ଧର୍ମେନ୍ଦ୍ରକୁ ହାଣିବାକୁ ନିର୍ଦ୍ଦେଶ ଦେଇଥିଲା। ଧର୍ମେନ୍ଦ୍ର ସର୍ବସମ୍ମୁଖରେ ମାଛ ବ୍ୟବସାୟୀଙ୍କ ପନିକି ଆଣି ମୃତ୍ୟୁଞ୍ଜୟ ଡାହାଣ ଗୋଡକୁ ହାଣିଥିଲା। ହାପି ସାଙ୍ଗରେ ଆଣିଥିବା କଟୁରିରେ ମୃତ୍ୟୁଞ୍ଜୟର ଦୁଇ ହାତକୁ ଚୋଟ ପକାଇଥିଲା। ପରେ ଅନ୍ୟ ସହଯୋଗୀଙ୍କ ସହ ମିଶି ବୁଲେଟ୍‌ ଚଢ଼ାଇଥିଲେ। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାରେ ୭ ଜଣ ଜଡ଼ିତ ଅଛନ୍ତି। ୪ ଜଣଙ୍କୁ ଗିରଫ କରାଯାଇଛି। ମାମଲାକୁ ଗୁରୁତ୍ୱ ଦିଆଯାଇ ପିପିଲି ଏସ୍‌ଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଓ ସ୍ପେଶାଲ ସ୍କ୍ୱାଡ୍‌ ଟିମକୁ ନିୟୋଜିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ପରେ ମୃତ୍ୟୁଞ୍ଜୟକୁ କେଉଁ କାରଣରୁ ହାଣିଲେ ତାହା ଉପରୁ ପରଦା ହଟିବ। କଣାସ ଥାନାର କାର୍ଯ୍ୟରତ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପୁଲିସ ଅଧିକ୍ଷକ ପ୍ରତୀକ ସିଂ। ଅଧିକାରୀମାନଙ୍କ ଖାମଖିଆଲ ମନୋଭାବରୁ ପୁଲିସ୍‌ ସାଧାରଣରେ ନିନ୍ଦିତ ହେଉଛି। ଏହାକୁ ଗୁରୁତ୍ୱ ଦେଇ ଏସ୍‌ପି କଣାସ ଥାନାରେ କାର୍ଯ୍ୟରତ ୩ ଏଏସ୍‌ଆଇ ଜୁମର କୁମାର ବିଶ୍ୱାଳଙ୍କୁ ଅସ୍ତରଙ୍ଗ ଥାନା, ସଞ୍ଜୟ କୁମାର ପାଟ୍ଟଶାଣୀକୁ କାକଟପୁର ଥାନା ଓ ସନ୍ତୋଷ କୁମାର ଉଦୟସିଂଙ୍କୁ କୃଷ୍ଣପ୍ରସାଦ ଥାନାକୁ ବଦଳି କରିଛନ୍ତି। ସେହିଭଳି କଣାସ ଥାନା ଅଧୀନ ମନ୍ଦାରବସ୍ତ ଫାଣ୍ଡିର ଏଏସ୍‌ଆଇ ରବୀନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗୋପ ଥାନାକୁ, ଅସ୍ତରଙ୍ଗ ଥାନାର ଏଏସ୍‌ଆଇ ଫକୀର ଚନ୍ଦ୍ର ଭୋଇ, କାକଟପୁର ଥାନାର ଏଏସ୍‌ଆଇ ପ୍ରମୋଦ କୁମାର ହାତୀ ଓ କୃଷ୍ଣପ୍ରସାଦ ଥାନାର ଏଏସ୍‌ଆଇ କୃତୀବାସ ବେହେରାଙ୍କୁ କଣାସ ଥାନାକୁ ବଦଳି କରିଛନ୍ତି। ଗୋପ ଥାନାର ଏଏସ୍‌ଆଇ ବିଭୁଦତ ପ୍ରସାଦ ଦାସଙ୍କୁ ମନ୍ଦାରବସ୍ତ ଫାଣ୍ଡିକୁ ବଦଳି କରାଯାଇଛି। ମୃତ୍ୟୁଞ୍ଜୟ କଣାସ ଥାନା ଅଂଚଳରେ ଏକାଧିକ ମାମଲାରେ ସମ୍ପୃକ୍ତ ଥିଲା। ତା’ ନାଁ ଶୁଣିଲେ ଲୋକେ ଆତଙ୍କିତ ହୋଇ ଉଠୁଥିଲେ।

ସେ ସରପଂଚଙ୍କୁ ଆକ୍ରମଣ କରିବା ସହ ବଡ ବଡ ଅପରାଧରେ ଜଡିତ ଥିଲା। ମୃତ୍ୟୁଞ୍ଜୟକୁ ଥାନା ଓ ଜେଲରୁ ମୁକୁଳିବାରେ ସହଯୋଗ କରୁଥିଲେ ହାପି। ସେମାନଙ୍କ ଭିତରେ ନିବିଡ ଦୋସ୍ତି ଥିଲା। କିଛି ମାସ ତଳେ ରାଜନୀତି ବାତାବରଣକୁ ନେଇ ଦୁହେଁ ଅଲଗା ହୋଇଥିଲେ। ଗୋଟିଏ ଗୋଷ୍ଠୀକୁ ମୃତ୍ୟୁଞ୍ଜୟ ବିରୋଧ କରୁଥିବା ବେଳେ ତାକୁ ଆପଣାଇଥିଲା ହାପି। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତୁତୁମେଁମେଁ । ଶେଷରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା। ମୃତ୍ୟୁଞ୍ଜୟ ଗୋଟିଏ ଗୋଷ୍ଠୀ ଗଢ଼ିଥିବା ବେଳେ ତାକୁ ଟକ୍କର ଦେବା ଲାଗି ହାପି ଗଢ଼ିଥିଲା ନୂଆ ଗୋଷ୍ଠୀ। ଏପ୍ରିଲ୍‌ ୩୦ରେ ବିବାଦ ଉଗ୍ରରୂପ ନେଇଥିଲା। ମାମଲା ମୃତ୍ୟୁଞ୍ଜୟ ସମେତ ହାପି ଓ ଅନ୍ୟ ସହଯୋଗୀଙ୍କ ନାମରେ କଣାସ ଥାନାରେ ଏକାଧିକ ମାମଲା ରହିଛି ବୋଲି ଏସ୍‌ପି ପ୍ରତୀକ ସିଂ କହିଛନ୍ତି। ଗିରଫ ଧରମା ନାମରେ ୨ଟି, ବାପି ନାମରେ ୨ଟି ଓ ପିଂଟୁ ନାମରେ ଗୋଟିଏ ମାମଲା ଅଛି। ସେହିଭଳି ମୃତ୍ୟୁଞ୍ଜୟ ଓ ହାପି ନାମରେ ଅନେକ ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କ ଅପରାଧ ରେକର୍ଡ ଯାଂଚ୍‌ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି।

କଣାସରେ ଯୁବକଙ୍କୁ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ଓମ୍‌ ପ୍ରକାଶ ମିଶ୍ର କହିଛନ୍ତି ଏବଂ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କ ନାଁରେ ବିଭିନ୍ନ ମାମଲା ରହିଛି।
ପୂର୍ବରୁ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି। ଆଇନ ତା ବାଟରେ ଯିବ। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।