ନୂଆଦିଲ୍ଲୀ: ରବିବାର ଟି-୨୦ ବିଶ୍ୱକପ୍ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ବିଗତ ୧୨ ମାସ ଭିତରେ ଭାରତ-ପାକିସ୍ତାନ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେଥିଭିତରୁ ଭାରତ ଦୁଇଥର ପରାଜୟ ବରଣ କରିଛି । ରବିବାର ଚତୁର୍ଥ ଥର ପାଇଁ ଭାରତ ପାକିସ୍ତାନକୁ ଭେଟିବ । ଯଦିଓ ଭାରତ ଉକ୍ତ ମ୍ୟାଚ୍କୁ ଜିତିବା ପାଇଁ ରଣକୌଶଳ ପ୍ରୟୋଗ କରିବ । ତଥାପି ପାକିସ୍ତାନର ଚାରିଜଣ କ୍ରିକେଟିୟର ଭାରତର ବିଜୟ ଅଭିଯାନକୁ ମାଟିରେ ମିଶାଇ ଦେଇପାରନ୍ତି ।
ପାକିସ୍ତାନର ସେହି ଚାରିଜଣ କ୍ରିକେଟିୟର ମଇଦାନରେ ଜମିଗଲେ, ଭାରତ ଭାଗ୍ୟରେ ଜିତିବା କଷ୍ଟକର ହୋଇଯିବ । ଭାରତକୁ ହରଡ଼ଘଣାରେ ପକାଇବା ପାଇଁ ପାକ୍ କ୍ରିକେଟିୟର ଶାହିନ ଶାହ ଆଫ୍ରିଦିଙ୍କ ପାଖରେ ଯଥେଷ୍ଟ ଦମ୍ ଅଛି । ଶାହିନ ଶାହ ଆଫ୍ରିଦି ହେଉଛନ୍ତି ପାକିସ୍ତାନର ବାମହାତୀ ଦ୍ରୁତବୋଲର । ଗତବର୍ଷ ସେ ୨୧ ଓ ଚଳିତ ବର୍ଷ ସେ ମାତ୍ର ଗୋଟିଏ ଆନ୍ତର୍ଜାତିକ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବେଶ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ମାତ୍ର ଏବେ ସେ ସଂପୂର୍ଣ୍ଣ ଫିଟ୍ ।
ଗତ ଦୁଇବର୍ଷ ଭିତରେ ସେ ୨୫ଟି ୱିକେଟ୍ ଦଖଲ କରିଛନ୍ତି । ତାଙ୍କର ଶ୍ରେଷ୍ଠ ବୋଲିଂ ହେଉଛି ୨୬ ରନ୍ ବିନିମୟରେ ତିନୋଟି ୱିକେଟ୍ ଅକ୍ତିଆର । ଅଷ୍ଟ୍ରେଲିଆରେ ଶାହିନ ଗୋଟିଏ ସୁଦ୍ଧା ଆନ୍ତର୍ଜାତିକ ଟି-୨୦ ଖେଳିନାହାନ୍ତି । କିନ୍ତୁ ସେଠାକାର ପିଚ୍ ଶାହିନଙ୍କୁ ସୁହାଇବ ବୋଲି ଆଲୋଚନା ଚାଲିଛି । ଶାହିନଙ୍କ ବଲକୁ ସାମ୍ନା କରିବାର ତାକତ୍ ବିରାଟ କୋହଲି ଓ ରାହୁଲ ଶର୍ମାଙ୍କ ନିକଟରେ ଅଛି । ତେଣୁ ଶାହିନଙ୍କ ବୋଲିଂକୁ ସତର୍କତାର ସହ ଖେଳିବାର ଅଛି ।
ଭାରତ ପାଇଁ ପାକ୍ କ୍ରିକେଟିୟର ମୋହମ୍ମଦ ରିଜୱାନ୍ ବିରାଟ ପ୍ରତିବନ୍ଧକ । ଆଇସିସି ଟି-୨୦ ର୍ୟାଙ୍କିଙ୍ଗର ଏକ ନମ୍ବରରେ ପାକିସ୍ତାନ ଓପନର୍ ମୋହମ୍ମଦ ରିଜୱାନ ଅଛନ୍ତି । ସେ ଗତ ଦୁଇବର୍ଷ ଭିତରେ ୪୭ଟି ଆନ୍ତର୍ଜାତିକ ଟି-୨୦ ଖେଳି ଦମଦାର ୨୧୪୭ ରନ୍ ସାଉଁଟିଛନ୍ତି । ତାଙ୍କର ସଫଳତା ଭିତରେ ୨୧ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅଛି । ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ସେ ଭାରତକୁ ତିନିଥର ଭେଟିଛନ୍ତି ଓ ୧୯୩ ରନ୍ କରିଛନ୍ତି । ଭାରତ ବିରୋଧରେ ରିଜୱାନ ଦୁଇଟି ଅର୍ଦ୍ଧଶତକ ଓ ଥରେ ୭୯ ରନ୍ କରି ନଟ୍ଆଉଟ୍ ଥିଲେ । ଭାରତୀୟ ବୋଲରଙ୍କୁ ଭଲ କରି ପିଟିପାରନ୍ତି ରିଜୱାନ୍ । ଅଷ୍ଟ୍ରେଲିଆ ମଇଦାନରୁ ରିଜୱାନ୍ ଅଧିକ ରନ୍ ଗୋଟାଇ ପାରିବେନି ।
ମାତ୍ର ବାବର ଆଜମଙ୍କୁ ଯୋଡ଼ିଦାର ଭାବେ ପାଇଗଲେ ସେ ଟିମ୍ ଇଣ୍ଡିଆକୁ ଅଡୁଆରେ ପକାଇପାରନ୍ତି । ପାକିସ୍ତାନର ତୃତୀୟ ପାହାଡ଼ ହେଉଛନ୍ତି ଅଧିନାୟକ ବାବର ଆଜମ । ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍ ଆଜମ ଆଇସିସି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ସେ ଗତ ଦୁଇବର୍ଷ ଭିତରେ ୪୮ଟି ମ୍ୟାଚ୍ ଖେଳିଛନ୍ତି ଓ ୧୫୫୦ ରନ୍ କରିଛନ୍ତି । ସେ ଏବେ ଭଲ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ ଶତକ ହାସଲ କରିଛନ୍ତି । ରିଜୱାନଙ୍କୁ ଯୋଡ଼ିଦାର ପାଇଲେ ବାବର ଟିମ୍ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ।
ସେ ଭାରତ ବିପକ୍ଷରେ ତିନୋଟି ଆନ୍ତର୍ଜାତିକ ଟି-୨୦ ଖେଳି ୯୨ ରନ୍ କରିଛନ୍ତି । ସେ ଭାରତ ବିପକ୍ଷରେ ୫ଟି ଦିନିକିଆ ଖେଳି ୧୫୮ ରନ୍ କରିଥିଲେ ମଧ୍ୟ ଗୋଟିଏ ସୁଦ୍ଧା ଅର୍ଦ୍ଧଶତକ କରି ନଥିଲେ । ଅଷ୍ଟ୍ରେଲିଆ ପିଚରୁ ବାବର ଭଲ ରନ୍ ଗୋଟାଇ ପାରନ୍ତି । ପାକିସ୍ତାନର ଅଲ୍ ରାଉଣ୍ଡର ମହମ୍ମ ନୱାଜ ଏବେ ଭଲ ଫର୍ମରେ ଅଛନ୍ତି । ୨୦୧୬ରେ ଟି-୨୦ ଦୁନିଆରେ ପ୍ରବେଶ କରିଛନ୍ତି । ସେ ବାମହାତୀ ସ୍ପିନର୍ ଓ ବ୍ୟାଟ୍ସମ୍ୟାନ୍ ।
୨୦୧୬ ଓ ୨୦୨୧ ବିଶ୍ୱକପ୍ରେ ସେ ପାକିସ୍ତାନ ଟିମରେ ଥିଲେ ମଧ୍ୟ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ । ଏସିଆ କପ୍ ସୁପର-୪ ମ୍ୟାଚ୍ରେ ସେ ଭାରତ ବିପକ୍ଷରେ ବ୍ୟାଟିଂ ସୁଯୋଗ ପାଇ ୨୦ଟି ବଲରୁ ୪୨ ରନ୍ ସଂଗ୍ରହ କରିଥିଲେ । ତା’ ସହିତ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ୍ରେ ସେ ଟିମ୍ ଇଣ୍ଡିଆକୁ ୩୩ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ ।