ଦିଲ୍ଲୀ ପ୍ରଦୂଷଣ ସ୍ଥିତି ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗଙ୍କ ସମୀକ୍ଷା ବୈଠକ

ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ….

ଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି ।

ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ  ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି, କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ । ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି । ୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ୍‌ ୭ ହଜାର ୩୬ଟି ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ଏହା ଗତବର୍ଷ ସମାନ ଅବଧିରେ ହୋଇଥିବା ୬ ହଜାର ୪୬୩ଟି ଫସଲ ଅବଶେଷ ଜଳାଇବା ଘଟଣା ତୁଳନାରେ ଅଧିକ ।

ଆହୁରି ଚଳିତ ଧାନ ଉତ୍ପାଦନ ଋତୁରେ ପଞ୍ଜାବର ୬ଟି ଜିଲ୍ଲା ଯଥା ଅମୃତସର, ଫିରୋଜପୁର, ଗୁରଦାସପୁର, କପୁରତଲା, ପଟିଆଲା ଓ ତର୍ଣ୍ଣ ତରନରେ ୭୦% ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ପଞ୍ଜାବରେ ମୋଟ୍‌ ୭ହଜାର ୩୬ଟି ଘଟଣା ମଧ୍ୟରୁ ଏହି ଛଅଟି ଜିଲ୍ଲାରେ ୪ହଜାର୮୯୯ଟି ଘଟଣା ଘଟିଛି । ଏଗୁଡ଼ିକର ପାରମ୍ପରିକ ଭାବେ ହଟସ୍ପଟ୍‌ ଜିଲ୍ଲା ହୋଇଥିବାରୁ ଗତ ବର୍ଷ ଏସବୁ ଜିଲ୍ଲାରେ ୬୫% ଫସଲ ଅବଶେଷ ଜାଳିବା ଘଟଣା ଘଟଥିଲା । ଗତ ଛଅ ଦିନ ମଧ୍ୟରେ ଏସବୁ ଜିଲ୍ଲାରେ ୬୧% ଫସଲ ଜାଳିବା ଘଟଣା ଦେଖିବାକୁ ମିଳିଛି ।

ଆୟୋଗଙ୍କ ଦ୍ବାରା ବିକଶିତ କରାଯାଇଥିବା ଏକ ବିସ୍ତୃତ ବ୍ୟବସ୍ଥା ଏବଂ ବିଗତ ଧାନ ଅମଳ ଋତୁର ଅଭିଜ୍ଞତାକୁ ଆଧାର କରି ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା ଯାହାର ନିମ୍ନୋକ୍ତ ପ୍ରମୁଖ କାର୍ଯ୍ୟ ଲକ୍ଷ୍ୟ ରହିଥିଲା :

  • ଅନ୍ୟ ଫସଲ ଅମଳ କରିବା, କମ ନଡ଼ା ଥିବା ଏବଂ ଆଗୁଆ ପାଚି ଯାଉଥିବା ଧାନ ଅମଳ କରିବା
  • ବାୟୋ ଡିକମ୍ପୋଜର ସହିତ ଜମିରେ ଫସଲ ଅବଶେଷ ପରିଚାଳନା
  • ଅନ୍ୟତ୍ର ଫସଲ ଅବଶେଷ ପରିଚାଳନା
  • ଆଇଇସି କାର୍ଯ୍ୟ
  • ଅନୁଧ୍ୟାନ ଓ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ

 

ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଫସଲ ଅବଶେଷ ଜଳାଇବା ଘଟଣାର ନିରାକରଣ ଓ ନିୟନ୍ତ୍ରଣ ପାଇଁ ପଞ୍ଜାବ ସରକାରଙ୍କ ପ୍ରସ୍ତୁତି ଦିଗରେ ରାଜ୍ୟ ପ୍ରଶାସନିକ କଳକୁ ସଚେତନ କରିବା ଉଦ୍ଦେଶ୍ୟରେ ୨୦୨୨ ଧାନ ବୁଣା ଋତୁର ଯଥେଷ୍ଟ ପୂର୍ବରୁ, ଅର୍ଥାତ୍‌ ଫେବୃଆରୀ ୨୦୨୨ରୁ ଆୟୋଗ କାର୍ଯ୍ୟ କରି ଆସୁଛନ୍ତି । କାର୍ଯ୍ୟ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ, ପରିବେଶ, ଶକ୍ତି ଓ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମଧ୍ୟ ଆଲୋଚନା କରି ଆସୁଛନ୍ତି ।

ଫସଲ ଅବଶେଷ ଜଳାଇବାର ନିରାକରଣ ପାଇଁ ବିଭିନ୍ନ ସମୟରେ ପଞ୍ଜାବ ସରକାରଙ୍କ ସହ ଆୟୋଗ ନଅଟି ବୈଠକ କରିଛନ୍ତି । ମୁଖ୍ୟ ଶାସନ  ସଚିବଙ୍କ ସହିତ ମଧ୍ୟ ପାଞ୍ଚଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ନିମ୍ନୋକ୍ତ ପ୍ରମୁଖ ବିଷୟ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଛି ।

  • ଫସଲ ଅବଶେଷ ପରିଚାଳନା (ସିଆରଏମ) ଯୋଜନା ଅଧୀନରେ ୨୦୨୨-୨୩ ବର୍ଷରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଅବଣ୍ଟନ କରାଯାଇଥିବା ପାଣ୍ଠି ଜରିଆରେ ଅତିରିକ୍ତ କୃଷି ଯନ୍ତ୍ରାଂଶ ତୁରନ୍ତ କିଣିବା।
  • କଷ୍ଟମ ହାୟାରିଂ ସେଣ୍ଟର ଓ ସମବାୟ ସମିତିରେ ଉପଲବ୍ଧ ବ୍ୟବସ୍ଥାର ମ୍ୟାପିଂ।
  • ଗ୍ରାମ/କ୍ଲଷ୍ଟର ସ୍ତରରେ ବିଳମ୍ବିତ ଅମଳ କାର୍ଯ୍ୟସୂଚୀ ସମେତ ସିଆରଏମ ବ୍ୟବସ୍ଥାର ସର୍ବୋତ୍ତମ ଉପଯୋଗ।
  • ଫସଲ ଅବଶେଷ ପରିଚାଳନାରେ ସହାୟତା ପାଇଁ ବାୟୋ-ଡିକମ୍ପୋଜର ପ୍ରୟୋଗ ବୃଦ୍ଧି।
  • ଏକ୍ସ-ସିଟୁ ଉପଯୋଗ ଦିଗରେ ଯୋଗାଣ ଶୃଙ୍ଖଳୁ ସୁଦୃଢ଼  କରିବା ଲାଗି ସୁବିଧା ପ୍ରଦାନ କରିବା।
  • ଅନୁଧ୍ୟାନ ଓ ନିରୀକ୍ଷଣ କାମକୁ ତ୍ବରାନ୍ବିତ କରିବା।

ଫସଲ ଅବଶେଷ ପରିଚାଳନା ଏବଂ ସବୁ କୃଷି ଅଗ୍ନି ଘଟଣାରେ ଉପଯୁକ୍ତ କାର୍ଯ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କ ସହିତ ନିବିଡ଼ ଭାବେ  କାର୍ଯ୍ୟ କରୁଛି । ହଟସ୍ପଟ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ସମୀକ୍ଷା ବୈଠକ କରାଯାଉଛି । ରାଜ୍ୟ ସରକାରଙ୍କର ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର ୨୦୨୨ ଅବଧି ମଧ୍ୟରେ ହରିୟାଣାରେ ମୋଟ୍‌ ୧୪୯୫ଟି ଧାନ ଫସଲ ଅବଶେଷ ଜାଳିବା ଘଟଣା ଘଟିଛି । ଏହା ପୂର୍ବବର୍ଷ ଘଟିଥିବା ୨,୦୧୦ଟି ଧାନ ଅବଶେଷ ଜାଳିବା ଘଟଣା ଠାରୁ ୨୬% ପ୍ରତିଶତ କମ ।

ହରିୟାଣାର ମୁଖ୍ୟ ଶାସନ ସଚିବ ଏବଂ ଉପ ଆୟୁକ୍ତଙ୍କ ସହିତ ଗତ ସପ୍ତାହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଫସଲ ଅବଶେଷ ଜାଳିବା ଘଟଣାକୁ ରାଜ୍ୟରେ ଆହୁରି ନିୟନ୍ତ୍ରଣକୁ ଆଣିବା ଲାଗି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପରାମର୍ଶ ଦେଇଛି ।