ମୋଦୀଙ୍କ ଗଡ଼ରୁ କେଜ୍ରିୱାଲ୍‌ଙ୍କ ଆହ୍ୱାନ

‘ବିଜେପିରେ ରହି ଆମକୁ ଜିତାନ୍ତୁ’….

ଅହମ୍ମଦାବାଦ: ଗୁଜରାଟ ଗସ୍ତରେ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଆମ୍‌ ଆଦ୍‌ମୀ ପାର୍ଟିର ଦୁଇ ବଳିଷ୍ଠ ନେତାଙ୍କୁ କଳାପତାକା ଦେଖାଇ ସ୍ୱାଗତ କରିଛନ୍ତି ମୋଦୀଙ୍କ ସମର୍ଥକ । ନବସାରୀ ଜିଲ୍ଲାର ଖୁଦବେଲ ଓ ଗୋଲବଡ଼ ଗ୍ରାମ ରାସ୍ତାରେ ଆପ୍‌ ନେତାଙ୍କ ଗାଡ଼ି ମାଳ ଯାଉଥିବା ସମୟରେ ମୋଦୀଙ୍କ ସମର୍ଥକମାନେ ‘ଚୋର ଚୋର’ ସ୍ଲୋଗାନ୍‌ ଦେଉଥିବାର ଦେଖିବାକୁ ମିଳିଥିଲା ।

ଚିଖ୍‌ଲୀ ସ୍ଥିତ ନ୍ୟାସନାଲ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଜନ ସମାବେଶରେ କଳା ପତାକାଧାରୀଙ୍କୁ ଜବାବ୍‌ ଦେବାକୁ ଯାଇ କେଜ୍ରିୱାଲ କହିଛନ୍ତି, ମୋତେ କଳାପତାକା ଦେଖାଇଥିବା ଲୋକମାନେ ମୋର ଜଣେ ଜଣେ ଭାଇ । ଦିନେ ସେମାନଙ୍କ ହୃଦୟ ଜିଣିବାକୁ ଆମେମାନେ ସକ୍ଷମ ହେବୁ ଓ ଆମ ଦଳରେ ସାମିଲ କରିବୁ, ସେ ଦୃଢ଼ ବିଶ୍ୱାସ ମୋର ଅଛି ।

ରାଜ୍ୟରେ ବିଜେପି କର୍ମୀମାନେ ଗୁଜରାଟ ସରକାର ବିରୋଧରେ ପ୍ରଚାର କରୁଥିବାର ଖବର ଆମ ପାଖରେ ପହଂଚିଛି । ତେଣୁ ମୁଁ ଅନୁରୋଧ କରୁଛି ଆପଣମାନେ ବିଜେପିରେ ରହି ଆମକୁ ଭୋଟ ଦିଅନ୍ତୁ । ଏଥର ଗୁଜରାଟରେ ଆପ୍‌ ଧମାକା କରନ୍ତୁ । ୧୮୨ ଆସନରୁ ୧୫୦ଟି ଆସନ ଆମ୍‌ ଆଦ୍‌ମୀ ପାର୍ଟିକୁ ମିଳିବା ଦରକାର ।

ଯେଉଁ ଲୋକମାନେ ରାଜନୀତି ବା ଗୁଣ୍ଡାଗିରି କରିବାକୁ ଚାହୁଁଛନ୍ତି, ସେମାନେ ବିଜେପିକୁ ଯିବାରେ ମୋର ପ୍ରତିବାଦ ନାହିଁ । କିନ୍ତୁ ଆପଣଙ୍କ ପିଲାଙ୍କୁ ସ୍କୁଲ, ହସ୍ପିଟାଲ ଓ ଗଳିରେ କ୍ଲିନିକ୍‌ର ଆବଶ୍ୟକତା ଅନୁଭବ କରୁଛନ୍ତି ତ ଆପ୍‌କୁ ଭୋଟ ଜିତାନ୍ତୁ । ମୁଁ ଜଣେ ଇଞ୍ଜିନିୟର, ରାସ୍ତା ତିଆରି କରିବାର କଳା ମୋତେ ଜଣା । ବିଜୁଳି ଯୋଗାଣ କରିବାର କଳା ମୋତେ ମାଲୁମ । ମୁଁ ସବୁ କାମ କରି ଦେଇପାରିବି । ଗୁଜରାଟକୁ ଭ୍ରଷ୍ଟାଚାରମୁକ୍ତ ଶାସନ ଦେବୁ । ରାଜ୍ୟର ପ୍ରତିଟି ମୁଦ୍ରା ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବ ।