ଦେଶରୁ ଭସାପୋଲ ଓ ରୋପ୍‌ୱେ ବ୍ୟବସ୍ଥା ଉଠିଯାଉ

ମାତ୍ର ଚାରିଦିନ ତଳେ ଭସାପୋଲଟିର ମରାମତି କାର୍ଯ୍ୟ ସଂପନ୍ନ ହୋଇଥିଲା…..

ନୂଆଦିଲ୍ଲୀ: ଭସାପୋଲରେ ଏକାବେଳକେ କେତେ ଲୋକ ଚଳପ୍ରଚଳ କରିବା ସୁରକ୍ଷିତ, ସେ ବିଷୟରେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବା ଦରକାର ଓ ତା’ ସହିତ ଭସାପୋଲର ଉଭୟ ପାଶ୍ୱର୍ରେ ସୁରକ୍ଷାକର୍ମୀ ନିୟୋଜିତ କରିବା ଦରକାର । ଗୁଜରାଟରେ ଭସାପୋଲ ଭାଙ୍ଗିଯିବା ଓ ଶତାଧିକ ଲୋକଙ୍କ ପ୍ରାଣହାନି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଦର୍ଶାଇ ଆରପିଡି କହିଛି, ସଂପର୍କୀୟଙ୍କୁ ସାନ୍ତ୍ୱନା ଦେବା ଛଡ଼ା ଆମମାନଙ୍କ ପକ୍ଷେ ଆଉ କିଛି ବିକଳ୍ପ ନାହିଁ ।

ଏହି ଦୁର୍ଘଟଣା ପାଇଁ କଂଗ୍ରେସ ଓ ଆପ୍‌ କ୍ଷମତାସୀନ ବିଜେପିକୁ ଦାୟୀ କରିଛି । ମାତ୍ର ଚାରିଦିନ ତଳେ ଭସାପୋଲଟିର ମରାମତି କାର୍ଯ୍ୟ ସଂପନ୍ନ ହୋଇଥିଲା । କେବଳ ଗୁଜରାଟ ଭସାପୋଲ କଥା ଚିନ୍ତାର କାରଣ ନୁହେଁ । ଓଡ଼ିଶାରେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ପଠାରେ ପ୍ରତିଷ୍ଠିତ ଧବଳେଶ୍ୱର ମନ୍ଦିରକୁ ଯିବା ପାଇଁ ମଧ୍ୟ ଏକ ଭସାପୋଲ ନିର୍ମାଣ କରାଯାଇଛି । ଅତୀତରେ ଉକ୍ତ ଭସାପୋଲ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ କିଛି ଶ୍ରଦ୍ଧାଳୁ ମୃତାହତ ହୋଇଥିଲେ ।

ଗୁଜରାଟ ଭସାପୋଲର ଦୁର୍ଦ୍ଦଶା ଶୁଣିବା ପରେ ଚଳିତ କାର୍ତିକ ପୂର୍ଣ୍ଣିମାର ଡଙ୍ଗାଭସା ପର୍ବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଭସାପୋଲରେ ଶ୍ରଦ୍ଧାଳୁଙ୍କ ଯା’ଆସକୁ ବନ୍ଦ କରିଛନ୍ତି । ଦେଶର କୌଣସି ସ୍ଥାନରେ ଭସାପୋଲ କି ରୋପ୍‌ୱେ ରହିବା ବିପଦଜନକ । ଲୋକଙ୍କ ସୁରକ୍ଷିତ ଚଳପ୍ରଚଳ ପ୍ରତି ସରକାର ସର୍ବାଧିକ ଗୁରୁତ୍ୱ ଦେବା ଦରକାର । ଗୁଜରାଟର ଭସାପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଲୋକଙ୍କ ପ୍ରତି ଚିନ୍ତାପ୍ରକଟ କରିଛି ଆରପିଡି ।

ଆଗାମୀ ଦିନରେ ଏଭଳି ଦୁର୍ଘଟଣା ଯେପରି ନଘଟେ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଭୀର ଅନୁଶୀଳନ କରନ୍ତୁ । ଧାର୍ମିକ ଦୃଷ୍ଟିକୋଣରୁ ଭସାପୋଲ ତିଆରି କରିବା ଯଥାର୍ଥ ହୋଇପାରେ ମାତ୍ର ଲୋକଙ୍କ ସୁରକ୍ଷିତ ଯାତ୍ରା ପାଇଁ ଭସାପୋଲ ଓ ରୋପ୍‌ୱେ ଏକମାତ୍ର ବାଟ ନୁହେଁ ।