ଲାଂଚଖୋରଙ୍କ ପଦୋନ୍ନତି: ଡିଏସ୍‌ପି ଆସନରୁ ଖସି ଅଟକିଗଲେ ଦାରୋଗାରେ

ଲକ୍ଷେ୍ନø: ଦାରୋଗାରୁ କର୍ମମୟ ଜୀବନ ଆରମ୍ଭ କରି ଡିଏସ୍‌ପି ପର୍ଯ୍ୟନ୍ତ ଯାଇଥିଲେ । ଡିଏସ୍‌ପି ହେବାପରେ ଏତେମାତ୍ରାରେ ଲାଂଚ ଖାଇବା ଆରମ୍ଭ କଲେ ଯେ ୟୁପି ସରକାର ତାଙ୍କୁ ବାଧ୍ୟ ହୋଇ ପୁଣି ଦାରୋଗା କରିଦେଲେ । ଏମିତି ଜଣେ ଚରିତ୍ରଙ୍କ ନାମ ବିଦ୍ୟାକିଶୋର ଶର୍ମା । ୨୦୨୧ରେ ଏକ ଗଣଦୁଷ୍କର୍ମ ମାମଲାର ଦଫାରଫା କରିବା ପାଇଁ ମୋଟାଅଙ୍କର ଲାଂଚ ମାଗିଲେ ତକ୍ରାଳୀନ ଡିଏସ୍‌ପି ବିଦ୍ୟାକିଶୋର । ଏ ସଂପର୍କିତ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ପ୍ରଶାସନ ଉକ୍ତ ଭିଡିଓର ଯାଂଚ କରି ବାସ୍ତବ ସତ୍ୟ ଜାଣିପାରିଲା । ପରିଣାମ ସ୍ୱରୂପ ପଦୋନ୍ନତି ବାଟଦେଇ ହାସଲ କରିଥିବା ଡିଏସ୍‌ପି ଚଉକିଟା ହାତଛଡ଼ା ହୋଇଗଲା । ବାବୁ ବିଦ୍ୟାକିଶୋର ଫେରିଆସିଲେ ଦାରୋଗା ଆସନକୁ । ଚାକିରି ଜୀବନର ଅବଶିଷ୍ଟ ସମୟ ଦାରୋଗା ଚଉକିରେ ବିତିବ । ଭଗବାନଙ୍କ ଅଶେଷ କୃପା; ହାତରୁ ଚାକିରିଟା ଚାଲିଯାଇନି ।

ମାମଲାଟି ଏପରି, ୨୦୨୧ରେ ଡିଏସ୍‌ପି ବିଦ୍ୟାକିଶୋର ଶର୍ମାଙ୍କ ଦୃଷ୍ଟିକୁ ଏକ ଦୁଷ୍କର୍ମ ମାମଲା ଅଣାଯାଇଥିଲା । ଜଣେ ମହିଳା ଗୋଟିଏ ହସ୍ପିଟାଲ ପରିଚାଳକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ହସ୍ପିଟାଲ ପରିଚାଳକ ନିଜକୁ ଦୋଷମୁକ୍ତ ସାବ୍ୟସ୍ତ କରିବା ପାଇଁ ଡିଏସ୍‌ପି ବିଦ୍ୟାକିଶୋରଙ୍କ ନିକଟରେ ବହୁ ତଥ୍ୟଭିତିକ ପ୍ରମାଣ ଉପସ୍ଥାପନ କଲା । କିନ୍ତୁ କୌଣସି ପ୍ରମାଣକୁ ବିଦ୍ୟାକିଶୋର ମାନିବାକୁ ପ୍ରସ୍ତୁତ ନଥିଲେ । ସେ ଉକ୍ତ ମାମଲାକୁ ଦଫାରଫା କରିବା ପାଇଁ ହସ୍ପିଟାଲ ପରିଚାଳକଙ୍କଠାରୁ ୫ ଲକ୍ଷ ଟଙ୍କା ଲାଂଚ ଦାବି କଲେ ।
ଏହି ଘଟଣାଟିକୁ ନେଇ ଏକ ଭିଡିଓ ଭାଇରାଲ୍‌ ହେଲା । ଭାଇରାଲ୍‌ ଭିଡିଓଟି ଯୋଗୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା । ଯୋଗୀ ସରକାର ଡିଏସ୍‌ପି ବିଦ୍ୟାକିଶୋର ଶର୍ମାଙ୍କୁ ଚାକିରିରୁ ନିଲମ୍ବିତ କଲେ । ଭିଜିଲାନ୍ସ ବିଭାଗ ଉଭୟ ବିଦ୍ୟାକିଶୋର ଶର୍ମା ଓ ରାମପୁରର ତକ୍ରାଳୀନ ଏସ୍‌ପି ଶଗୁନ୍‌ ଗୌତମଙ୍କ ବିରୋଧରେ ଯାଂଚ ଆରମ୍ଭ କରିଛି । ତେବେ ଯାଂଚ ରିପୋର୍ଟ ପାଇବା ପୂର୍ବରୁ ଯୋଗୀ ସରକାର ବିଦ୍ୟାକିଶୋରଙ୍କୁ ଦାରୋଗା ପଦରେ ଅବସ୍ଥାପିତ କରିଛନ୍ତି ।