ବିଦାୟ ନେବ କାଗଜ ନୋଟ୍ ଯୁଗ!
ଡିଜିଟାଲ ପେମେଂଟରୁ ଶୁଳ୍କ ହଟାଇବାକୁ ଦାବି
ସାଇବର ଠକଙ୍କୁ ସାବାଡ୍ କରୁ ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ଧୀରେ ଧୀରେ କାଗଜ ନୋଟ୍ ବ୍ୟବହାର ଯୁଗ ଶେଷ ହେବାକୁ ଯାଉଛି । କାଗଜ ନୋଟ୍ ସ୍ଥାନ ଦଖଲ କରିବ ଇ-ରୁପିୟା । ଲୋକମାନେ ୱାଲେଟ୍ ଜରିଆରେ ସଉଦାପତ୍ର କିଣିବେ ଟଙ୍କା ପେମେଂଟ କରିବେ ।
ଦୀପାବଳି ବଜାରରେ କାଗଜ ନୋଟ୍ ତୁଳନାରେ ଡିଜିଟାଲ ପେମେଂଟ ଅଧିକ ସକ୍ରିୟ ଥିବାର ସ୍ପଷ୍ଟ ହେବାପରେ ଆରବିଆଇ ମନରେ ଇ-ରୁପିୟା ପ୍ରତି ଯଥେଷ୍ଟ ଆଗ୍ରହ ବୃଦ୍ଧି ପାଇଛି । ବିମୁଦ୍ରାକରଣ ସମୟରୁ ସରକାର ଇ-ରୁପିୟା ପ୍ରତି ମନ ବଳାଇଥିଲେ । ମାତ୍ର ଇ-ରୁପିୟାର ଭବିଷ୍ୟତ ଜାଣିବା ପାଇଁ ଏକ ମଉକା ଖୋଜୁଥିଲେ । ଦୈବଯୋଗକୁ କରୋନା ମହାମାରୀ ମାଡ଼ିଆସିଲା । ଦୋକାନ ବଜାର ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲିଲା । ସେତେବେଳେ ମୁଷ୍ଟିମେୟ ଲୋକଙ୍କୁ ନେଇ ବ୍ୟାଙ୍କିଙ୍ଗ ବ୍ୟବସାୟ ଚାଲିଲା । ଲୋକମାନେ ସଉଦାପତ୍ର କିଣିବା ପାଇଁ ଡିଜିଟାଲ ପେମେଂଟକୁ ଅଧିକ ପସନ୍ଦ କଲେ । ଦେଶବାସୀଙ୍କ ମନରେ ଡିଜିଟାଲ ପେମେଂଟ ପ୍ରତି ଅଧିକ ବିଶ୍ୱାସ ଜନ୍ମାଇବା ପରେ ସରକାର ଲୋକମାନଙ୍କୁ ଇ-ରୁପିୟା ଛାଂଚରେ ପକାଇବାକୁ ମନ ବଳାଇଛନ୍ତି ।
ଏପରି ସମୟରେ ବହୁ ବ୍ୟବସାୟୀ ସଂଗଠନ ଡିଜିଟାଲ ପେମେଂଟ ଉପରେ ଲାଗୁ କରାଯାଉଥିବା ଶୁଳ୍କ ହଟାଇବା ପାଇଁ ଦାବି ଉଠାଇଲେଣି । ଉଭୟ ଗରାଖ ଓ ଦୋକାନୀଙ୍କଠାରୁ ନେଣଦେଣ ଶୁଳ୍କ ଆଦାୟ କରାଯାଉଛି । ଏବେ ଦେଶରେ ୨୬ କୋଟି ଲୋକ ଡେବିଟ୍ କାର୍ଡ ମାଧ୍ୟମରେ ପେମେଂଟ କରୁଛନ୍ତି ।
ଆରବିଆଇ ଏବେ ଯେଉଁଭଳି ଭାବରେ ଡିଜିଟାଲ ମନି ଯୁଗ ଆରମ୍ଭ କରିଛି, ସେଥିରୁ କାଗଜ ନୋଟ୍ ଯୁଗ ବିଦାୟ ନେବାର ଦିନ ପାଖେଇ ଆସୁଥିବାର ଇଙ୍ଗିତ ମିଳିଲାଣି । ନଭେମ୍ବର ପହିଲାରୁ ସିବିଡିସିର ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି । ଆସନ୍ତା ଏକମାସ ଭିତରେ ଇ-ରୁପିୟା ଦେଣନେଣ ଲାଗୁ କରାଯିବ । ଏହି ପ୍ରକଳ୍ପ ଲୋକପ୍ରିୟ ହୋଇଗଲେ, ଭାରତକୁ ଆଉ କାଗଜ ନୋଟ୍ ଛପାଇବାକୁ ପଡ଼ିବନି ।
ଅର୍ଥଶାସ୍ତ୍ରୀମାନେ ଭାରତୀୟ ପେମେଂଟ ସିଷ୍ଟମକୁ ଅଧିକ ଗତିଶୀଳ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗଧାରାର ନିର୍ଭୁଲ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗତ କିଛିବର୍ଷ ଭିତରେ ନଗଦ ଟଙ୍କା ଦେଇ ଜିନିଷପତ୍ର କିଣିବା ଧାରାଟି ସ୍ମାର୍ଟଫୋନ୍ ଜରିଆରେ ପେମେଂଟ କରି ଜିନିଷ କିଣିବା ଧାରାକୁ ବଦଳିଗଲା । ସବୁକିଛି ଡିଜିଟାଲ ହୋଇଯିବା ପରେ ମଧ୍ୟ ଲୋକମାନଙ୍କୁ ଠକାମିର ଶିକାର ଭୟ ଘନେଇଛି ।
ଯୋଉ ଦୀପାବଳିରେ ଡିଜିଟାଲ ପେମେଂଟ ଗତିକୁ ଦେଖି ସରକାର ଇ-ରୁପିୟା ପ୍ରଚଳନ ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି । ସେଇ ଦୀପାବଳିରେ ବହୁ ଲୋକଙ୍କଠାରୁ ଡିଜିଟାଲ ପେମେଂଟ ବାଟ ଦେଇ ବହୁ ସାଇବର ଠକ ସଂସ୍ଥା ୧୬୦୦ କୋଟି ଟଙ୍କା ଠକି ନେଇଛନ୍ତି । ସେ ବିଷୟରେ ସରକାର ଓ ଆରବିଆଇ କ’ଣ କହିବେ?