ଭେଲୋର: ଭେଲୋରସ୍ଥିତ କ୍ରିଷ୍ଟିୟନ୍ ମେଡିକାଲ କଲେଜରେ ନବାଗତ ଛାତ୍ରମାନଙ୍କୁ ର୍ୟାଗିଂର ଶିକାର ହେବାକୁ ପଡିଛି । ସୋସିଆଲ ମିଡିଆ ‘ରେଡିଟ୍’ରେ ଘୁରି ବୁଲୁଥିବା ଉକ୍ତ ସ୍ପର୍ଶକାତର ଭିଡିଓକୁ ଦେଖିବା ପରେ ବହୁ ଅଭିଭାବକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ର୍ୟାଗିଂର ଶିକାର ହୋଇଥିବା ଜଣେ ଛାତ୍ର ଅକ୍ଟୋବର ୯ ତାରିଖରେ ଭିଡିଓଟିକୁ ସେୟାର କରିଥିଲେ ।
ପ୍ରସାରିତ ଭିଡିଓରେ କିଛି ନବାଗତ ଅର୍ଦ୍ଧନଗ୍ନ ଅବସ୍ଥାରେ ମେଡିକାଲ କଲେଜ ହଷ୍ଟେଲ ପରିସରରେ ଚାଲବୁଲ କରୁଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କ ଉପରକୁ ଫାୟର ହାଇଡ୍ରେଂଟ ସାହାଯ୍ୟରେ ପାଣି ପକାଯାଉଥିଲା । କିଛି ଛାତ୍ର ମନ୍ଦିରଗାତ୍ରରେ ଖୋଦିତ ନଗ୍ନ ନାୟିକା ମୁଦ୍ରାରେ ମାଟିରେ ଶୋଇ ରହିଥିଲେ । ସିନିୟର ଛାତ୍ରମାନେ କିଛି ନବାଗତ ଛାତ୍ରଙ୍କୁ ସଂପୂର୍ଣ୍ଣ ବିବସ୍ତ୍ର କରି ସେମାନଙ୍କ ଯୌନାଙ୍ଗକୁ ଆଘାତ କରୁଥିଲେ ।
ଭିଡିଓଟି ବେଶ କିଛି ସମୟ ଧରି ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ହଟାଇ ଦିଆଯାଇଥିଲା । ବରିଷ୍ଠ ଛାତ୍ରଙ୍କ ମତରେ ହଷ୍ଟେଲରେ ନବାଗତଙ୍କ ଭିତରେ ମିଷ୍ଟର କିଙ୍ଗ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭିତରେ ହଷ୍ଟେଲ ୱାର୍ଡନ, ଡେପୁଟି ୱାର୍ଡନ ଓ କିଛି ଡାକ୍ତର ଥିଲେ । କିନ୍ତୁ ଅଧିକାଂଶ ନବାଗତ ବରିଷ୍ଠ ଛାତ୍ରଙ୍କ ଯୁକ୍ତିକୁ ଦୃଢ଼ ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କରାଯାଉଛି ।
ଯୋଉ ନବାଗତ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଜୋର ଜବରଦସ୍ତ ଲଙ୍ଗଳା କରାଯିବା ସହିତ ମାଡ଼ ମରାଯାଉଛି । ହଷ୍ଟେଲ ଛାତରେ ଲଙ୍ଗଳା ଅବସ୍ଥାରେ ହାତ ତଳକୁ ଗୋଡ଼ ଉପରକୁ କରି ଲଟକି ରହିବାକୁ ବାଧ୍ୟ କରାଯାଉଛି । କଲେଜ ପରିଚାଳନା ମଣ୍ଡଳୀ ସବୁ ଜାଣି ନିରବ ରହିବାକୁ ବାଧ୍ୟ ହେଉଛନ୍ତି ।