ଗଣମାଧ୍ୟମ ବେକରେ ଅଙ୍କୁଶ ଲଗାଇ ପ୍ରେସ ଦିବସ ପାଳନ

National Press Day

ଭୁବନେଶ୍ୱର: ଗଣମାଧ୍ୟମରେ କାର୍ଯ୍ୟରତ ରିପୋର୍ଟର ଓ କର୍ମଚାରୀଙ୍କ ଉପରେ ଦମନମୂଳକ ଆଭିମୁଖ୍ୟ ପୋଷଣ କରୁଥିବା ବିଜେଡି ସରକାର ଜାତୀୟ ପ୍ରେସ ଦିବସ ପାଳନ କରିବା ନିହାତି ନିନ୍ଦନୀୟ ଘଟଣା ବୋଲି ଏନ୍‌ୟୁବିସି ନେତା ସୀତାରାମ ବେହେରା ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ସରକାରଙ୍କ ବିଫଳତା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ତା’ର ନିରାକରଣ କରିବା ଗଣମାଧ୍ୟମର ମୁଖ୍ୟ କାର୍ଯ୍ୟ । ମାତ୍ର ଆଜିର ସରକାର ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଉଥିବା ଖବରକାଗଜ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେଉଁ ଛାପା ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫଟୋକୁ ସବୁଦିନ ଛପାଉଥିବ, ସେହି ଗଣମାଧ୍ୟମ ସରକାରଙ୍କର ଗେହ୍ଲାପୁଅ ହୋଇ ସରକାରୀ ବିଜ୍ଞାପନ ପାଉଥିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଥିବା ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ପାଟିକୁ ପୁଲିସ ଲଗାଇ ବନ୍ଦ କରି ଦିଆଯାଉଛି । ବିଗତ ୨୩ ବର୍ଷର ଶାସନ ଭିତରେ କେତେଜଣ ରିପୋର୍ଟରଙ୍କ ଉପରେ ପୁଲିସ ବଳପ୍ରୟୋଗ କରିଛି, ତା’ର ବିସ୍ତୃତ ବିବରଣୀ ସରକାରଙ୍କ ପାଖରେ ରହିଛି । ରାଜ୍ୟ ସରକାରଙ୍କ ଜାତୀୟ ପ୍ରେସ ଦିବସ ପାଳନ ଧର୍ମକୁ ଆଖିଠାର ।

ସରକାରଙ୍କ ଦୃଷ୍ଟିରେ କେବଳ ରିପୋର୍ଟରମାନେ ସରକାରୀ ସୁବିଧା ପାଇବାକୁ ଯୋଗ୍ୟ । ମାତ୍ର ନ୍ୟୁଜ ଡେସ୍କରେ କାମ କରୁଥିବା କର୍ମଚାରୀଙ୍କ ସୁବିଧା ଅସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି । ରିପୋର୍ଟରମାନେ ଖବର ସଂଗ୍ରହ କରି ଡେସ୍କକୁ ପଠାଇ ଦିଅନ୍ତି । ମାତ୍ର ଡେସ୍କରେ କାର୍ଯ୍ୟରତ କର୍ମଚାରୀମାନେ ଖବରକୁ ନିର୍ଭୁଲ ଭାବେ ପ୍ରକାଶ କରିବାର ଦାୟିତ୍ୱ ତୁଲାଇଥାନ୍ତି । ଡେସ୍କ କର୍ମଚାରୀଙ୍କ ସହଯୋଗ ବିନା ରିପୋର୍ଟର ତୁଚ୍ଛା ଅଗାଡ଼ି ।

ପୁଲିସ ବଳରେ ଗଣମାଧ୍ୟମର କଣ୍ଠରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜାତୀୟ ପ୍ରେସ ଦିବସ ପାଳନ ଘୋର ପରିତାପର ବିଷୟ ବୋଲି ଏନ୍‌ୟୁବିସି କହିଛି ।