ନୂଆଦିଲ୍ଲୀ: ବେଆଇନ ଟଙ୍କା ଦେଣନେଣ (ମନି ଲଣ୍ଡରିଂ) ମାମଲାରେ ୨୦୨୨ ଜୁନରୁ ଜେଲ ଜୀବନ କାଟୁଥିବା ଆପ୍ ନେତା ତଥା ଦିଲ୍ଲୀର କ୍ୟାବିନେଟ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆହୁରି କିଛିଦିନ ଜେଲରେ ରହିବାକୁ ପଡ଼ିବ । ଗୁରୁବାର ରାଉଜ ଆଭିନ୍ୟୁସ୍ଥିତ ସ୍ୱତନ୍ତ୍ର ଅଦାଲତ ଜୈନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ବିକାଶ ଢୁଲ ଜୈନଙ୍କ ସହିତ ଅନ୍ୟ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ଜାମିନ ନାମଞ୍ଜୁର କରିଛନ୍ତି । ନଭେମ୍ବର ୧୦ ତାରିଖରେ ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ।
ଉଭୟ ପକ୍ଷର ବଳିଷ୍ଠ ଯୁକ୍ତିକୁ ବିଭିନ୍ନ ଦିଗରୁ ତର୍ଜମା କରିବା ପରେ କୋର୍ଟ ଚୂଡ଼ାନ୍ତ ଆଦେଶନାମା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ କହିଥିଲେ । ପୂର୍ବତନ ମନ୍ତ୍ରୀଙ୍କ ଆବେଦନ ପ୍ରତି ଦୃଷ୍ଟିପାତ କରିବା ପରେ ଗୁରୁବାର ଅପରାହ୍ଣରେ ରାୟ ପ୍ରକାଶ କରିବାକୁ କୋର୍ଟ ନିଷ୍ପତି ନେଇଛନ୍ତି ।
ବେଆଇନ ଉପାୟରେ ଟଙ୍କା ଦେବାନେବା ମାମଲାରେ ଅଭିଯୁକ୍ତ ହେବାପରେ ୨୦୨୨ ଜୁନ ୧୨ ତାରିଖରୁ ସତ୍ୟେନ୍ଦ୍ର ଜୈନ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି । ଇଡି ତାଙ୍କୁ ମନି ଲଣ୍ଡରିଂ ନିରାକରଣ ଆଇନ ଆଧାରରେ ମେ’ ୩୦ ତାରିଖରେ ଗିରଫ କରିଥିଲା ।