ଗୁରୁ ମୋଦୀଙ୍କ ପାଇଁ ଭୋଟ ମାଗିଲେ ଚେଲା ଯୋଗୀ

ବିଜେପିକୁ କ୍ଷମତାସୀନ ଯୋଗୀଙ୍କର ଶ୍ରେଷ୍ଠ ଗୁରୁଦକ୍ଷିଣା….

ଗାନ୍ଧୀନଗର: ଗୁଜରାଟ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ଲାଭ କରି ଯୋଗୀ ଗୁଜରାଟର ଗଳିକୁ ଗଳି ବୁଲି ବିଜେପି ପାଇଁ ଭୋଟ ଭିକ ମାଗିଲେ । ଭୋଟରମାନେ ଚେଲାଙ୍କ ମୁହଁକୁ ଅନାଇ ଗୁରୁଙ୍କ ଝୁଲାମୁଣିରେ ଭୋଟ ପକାଇବାର ସମ୍ଭାବନା ଅଛି । ଶୁକ୍ରବାର ଗୁଜରାଟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଯୋଗୀ ଆଦିତ୍ୟନାଥ ।

ଗୁରୁଙ୍କ ରାଜ୍ୟରେ ମତଦାନ ପାଇଁ ପ୍ରଚାର ପ୍ରକ୍ରିୟା ଆଗେଇଛି । ଗୁରୁଦକ୍ଷିଣା ଦେବାର ସମୟକୁ ହାତଛଡା କରିବେ କିପରି ? ଦୁଇଟି ପର୍ଯ୍ୟାୟରେ ଗୁଜରାଟର ୧୮୨ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଗୁଜରାଟ ଭୋଟରମାନେ ଡିସେମ୍ବର ପହିଲା ଓ ୫ ତାରିଖରେ ମତଦାନ କରିବେ । ଉଭୟ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନର ଫଳାଫଳ ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ପ୍ରଥମ ଦିନ ପ୍ରଚାରରେ ଯୋଗୀ ତିନୋଟି ବିଧାନସଭା କ୍ଷେତ୍ର ବୁଲିଛନ୍ତି ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାର ଏକ ନମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦୁଇ ନମ୍ବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଛନ୍ତି । ହିମାଚଳ ପ୍ରଦେଶ ଗସ୍ତରେ ଯାଇ ଯୋଗୀ ୫ ଦିନ ଭିତରେ ୧୬ଟି ପ୍ରଚାର ଶୋଭାଯାତ୍ରାରେ ଯୋଗଦାନ କରିଥିଲେ । ଶୁକ୍ରବାର ଯୋଗୀ ଗୁଜରାଟର ମୋର୍ବି, ଭରୁଚ ଓ ସୁରତରେ ପ୍ରଚାର କରିଛନ୍ତି । ମୋର୍ବିର ବାକାନେରରୁ ବିଜେପି ପ୍ରାର୍ଥୀ ଜିତେନ୍ଦ୍ର ଭାଇ ସୋମାନୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ତା’ପରେ ଭରୁଚର ଝାଗଡ଼ିଆ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ରିତେଶ ଭାଇ ବସାବାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ତୃତୀୟ ପ୍ରଚାର ଶୋଭାଯାତ୍ରା ସୁରତର ଚୌରାସୀ ବିଧାନସଭା କ୍ଷେତ୍ରରେ ଥିଲା । ଉକ୍ତ ଆସନରୁ ଠିଆ ହୋଇଛନ୍ତି ବିଜେପି ନେତା ସନ୍ଦୀପ ଭାଇ ଦେଶାଇ । ଯୋଗୀ ଏକା ସମୟରେ ନିଜ ରାଜ୍ୟର ତିନୋଟି ଉପନିର୍ବାଚନ ଓ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ମାଗିବାର ଦାୟିତ୍ୱ ତୁଲାଉଛନ୍ତି ।