ଜେଲରେ ମନ୍ତ୍ରୀଙ୍କୁ ରାଜସୁଖ ଦେଇ ଜେଲର ନିଲମ୍ବିତ
ଜେଲ ଭିତରେ ପଡ଼ିଯିବା କାରଣରୁ ଜୈନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା….
ନୂଆଦିଲ୍ଲୀ: ବେଆଇନ ଟଙ୍କା କାରବାର ମାମଲାରେ ଅଭିଯୁକ୍ତ ହୋଇ ଜେଲ ଭୋଗୁଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ରାଜସୁଖ ଯୋଗାଉଥିବା କାରଣରୁ ଜେଲରଙ୍କ ଚାକିରି ପ୍ରତି ଆଂଚ ଆସିଛି । ପ୍ରାଥମିକ ତଦନ୍ତ ପରେ ଜେଲରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । କେବଳ ସତ୍ୟେନ୍ଦ୍ର ଜୈନ ନୁହନ୍ତି, ତାଙ୍କ ଭଳି ଆହୁରି କିଛି ରାଜନେତା ମଧ୍ୟ ଜେଲ ଭିତରେ ବିଳାସମୟ ଜୀବନ ଯାପନ କରୁଛନ୍ତି । ଜେଲଟି ରାଜନେତାଙ୍କ ପାଇଁ ଆଉ କଷ୍ଟଦାୟକ ହୋଇ ରହିନାହିଁ ବରଂ ରାଜସୁଖ ଉପଭୋଗ୍ୟ ଶାଳା ପାଲଟି ଯାଇଛି ।
ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଟିରେ ସତ୍ୟେନ୍ଦ୍ରଙ୍କ ହାତଗୋଡ଼ ଓ ଶରୀରକୁ ଘଷାମୋଡ଼ା କରୁଛନ୍ତି ଜଣେ ବ୍ୟକ୍ତି । ବିଜେପି ଏହି ଘଟଣାକୁ କେନ୍ଦ୍ର କରି ଦିଲ୍ଲୀର କେଜ୍ରିୱାଲ ସରକାରକୁ ସମାଲୋଚନା କରୁଥିଲା ବେଳେ ଆପ୍ ଆତ୍ମରକ୍ଷାମୂଳକ ବିବୃତି ପ୍ରଦାନ କରିଛି । ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି, ଜେଲ ଭିତରେ ପଡ଼ିଯିବା କାରଣରୁ ଜୈନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା ।
ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶ ମୁତାବକ ଜଣେ ବ୍ୟକ୍ତି ଜୈନଙ୍କୁ ଫିଜିଓଥେରାପି ସେବା ପ୍ରଦାନ କରୁଛନ୍ତି । ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଫିଜିଓଥେରାପି ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ଦେଖାଇ ବିଜେପି ହୀନ ରାଜନୀତି କରୁଛି । ଲୋକଙ୍କ ସେବା ପ୍ରତି ଦୃଷ୍ଟି ନଦେଇ ବିଜେପି ସରକାର ଅନ୍ୟ କ୍ଷମତାସୀନ ଦଳର ଭାବମୂର୍ତିରେ କଳଙ୍କ ଲଗାଇ ଜିତିବାର ହୀନ କୌଶଳ ଅବଲମ୍ବନ କରୁଛି ।
ବିଜେପି ନେତା କହିଛନ୍ତି, କୋଉଠି ଲୁଚିଛନ୍ତି ଅରବିନ୍ଦ କେଜ୍ରିୱାଲ? ଜେଲରେ ରହି ସତ୍ୟେନ୍ଦ୍ର ଜୈନ ଘଷାମୋଡ଼ା ଖାଇବା ଓ ଲୋକଙ୍କୁ ସାକ୍ଷାତ କରିବା ଜେଲ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି । ଜେଲରେ ଭିଭିଆଇପି ସଂସ୍କୃତି ଗଣତନ୍ତ୍ରକୁ ବିପଦ ।